୧୩ ବ୍ଲକରୁ ୧୧ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ଖାଲି

ଏମ୍‌.ରାମପୁର,୨୨ା୬(ଶଶିଭୂଷଣ ପ୍ରହରାଜ)କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ଜିଲାର ୧୩ଟି ବ୍ଲକରୁ ବର୍ତ୍ତମାନ ୨ଜଣ ନିୟିମିତ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟ କରୁଥିବାବେଳେ ୧୧ଟି ପଦବୀ ଖାଲି ପଡିଛି। ଏଥିଯୋଗୁ ଶିକ୍ଷା ବିଭାଗର ଅନେକ କାର୍ଯ୍ୟ ପ୍ରଭାବିତ ହୋଇଛି। କର୍ଲାମୁଣ୍ଡା ବିଇଓ ଅବସରପ୍ରାପ୍ତ ହୋଇ ଏକ ବର୍ଷ ବିତିଯାଇଛି। ମ.ରାମପୁର ବିଇଓ ଅବସରପ୍ରାପ୍ତ ହୋଇ ୬ମାସ ବିତି ଯାଇଛି। ଏହି ୨ଟି ସ୍ଥାନରେ ନର୍ଲାରେ କାର୍ଯ୍ୟରତ ବିଇଓ ତପିମଣି ଜାନୀଙ୍କୁ ଦୁଇଟି ବ୍ଲକର ଭାରପ୍ରାପ୍ତ ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଥୁ.ରାମପୁରରେ ଲୋକନାଥ ବେହେରା ନିୟମିତ ବିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଏହି ୨ଜଣଙ୍କୁ ବାଦ ଦେଲେ ଅନ୍ୟ ବ୍ଲକକୁ ବିଭିନ୍ନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସାମୁହିକ ଭାବେ ଭାରପ୍ରାପ୍ତ ବିଇଓ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପୁଣି ଜଣଙ୍କୁ ଏକାଧିକ ଁ ବ୍ଲକ ଦାୟିତ୍ୱ ଦିଆଯାଇଛି। ଫଳରେ ଅବ୍ୟବସ୍ଥା ଦ୍ୱିଗୁଣିତ ହୋଇଛି। ଜୁନାଗଡ ହାଇସ୍କୁଲର ନେପାଳ ବାଗଙ୍କୁ ଜୟପାଟଣା, କୋକସରା, ଗୋଲାମୁଣ୍ଡା, ଧର୍ମଗଡ ୫ଟି ବ୍ଲକ ଭାରପ୍ରାପ୍ତ ବିଇଓ କରାଯାଇଛି। ଭବାନୀପାଟଣା ବାଳିକା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡା ଭବାନୀପାଟଣା ଓ ଲାଞ୍ଜିଗଡ ୨ଟି ବ୍ଲକର ଭାରପ୍ରାପ୍ତ ବିଇଓ ଭାବ କାର୍ଯ୍ୟ କରୁଛନ୍ତି। ଭବାନୀପାଟଣା ବିଏମ୍‌ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠି ଝାଙ୍କରଙ୍କୁ କେସିଙ୍ଗା ଓ ଜୁନାଗଡ ଦୁଇଟି ବ୍ଲକର ଭାରପ୍ରାପ୍ତ ବିଇଓ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ଏପ୍ରିଲ ମାସ ଦରମା ପ୍ରଦାନରେ ୧୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖାପାଖି କମ୍‌ ଦରମା ପ୍ରଦାନ ହୋଇଛି ମ.ରାମପୁର ବ୍ଲକରେ। ସେହିପରି ଅଧିକାଂଶ ଶିକ୍ଷକଙ୍କ ମେ’ର ଦରମା ରଜପର୍ବ ପରେ ମଧ୍ୟ ପ୍ରଦାନ ହୋଇନାହିଁ।