୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି। ଅନ୍ୟପଟେ କଂଗ୍ରେସ ଏଥର ୯୯ ଆସନ ଜିତିବାରେ ସକ୍ଷମ ହୋଇଛି। ୨୯୩ ଅସନ ସହିତ ଏନ୍‌ଡିଏ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ( ଏଡିଆର୍‌ ) ୨୦୨୪ ଲୋକସଭା ନିର୍ବାଚନ ଜିତିଥିବା ସମସ୍ତ ୫୪୩ ପ୍ରାର୍ଥୀଙ୍କ ସମ୍ପତ୍ତିଗତ ଘୋଷଣା ପତ୍ରର ତର୍ଜମା କରି ରିପୋର୍ଟ ପ୍ରକାଶ କରିଛି।
ଏଡିଆର ଜାରି କରିଥିବା ରିପୋର୍ଟରୁ ୫୪୩ ବିଜେତା ପ୍ରାର୍ଥୀଙ୍କ ମଧ୍ୟରୁ ୨୫୧ ଜଣଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ସେମନଙ୍କ ମଧ୍ୟରୁ ୧୭୦ ଜଣଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରୁଜୁ କରାଯାଇଛି। ଯେଉଥିରେ ହତ୍ୟା, ହତ୍ୟା କରିବାକୁ ପ୍ରୟାସ, ମହିଳାଙ୍କ ବିରୋଧରେ ଅପରାଧ ଆଦି ମାମଲା ରହିଛି।
ସେହିପରି ୫୪୩ ବିଜେତାଙ୍କ ମଧ୍ୟରୁ ୫୦୪ ବିଜେତା ପ୍ରାର୍ଥୀ କୋଟିପତି ହୋଇଥିବା ଜଣାପଡ଼ିଛି। ଭାଜପାର ସବୁଠାରୁ ଅଧିକ କୋଟିପତି ପ୍ରାର୍ଥୀ ରହିଛନ୍ତି। ଭାଜପାର ୨୨୭ ବିଜେତା ପ୍ରାର୍ଥୀ କୋଟିପତି। ଅନ୍ୟପଟେ ଦ଼୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ। ୯୨ ବିଜେତା କୋଟିପତି ପ୍ରାର୍ଥୀ ଏହି ଦଳରେ ରହିଛନ୍ତି। ନିର୍ବାଚନ ପୂର୍ବରୁ ଦାଖଲ କରିଥିବା ଘୋଷଣାନାମାରେ ଏହି ପ୍ରାର୍ଥୀ ମାନେ ସେମାନଙ୍କର ମୋଟ ସମ୍ପତ୍ତି ଏକ କୋଟିରୁ ଅଧିକ ଦର୍ଶାଇଛନ୍ତି।

Share