ପୂର୍ଣ୍ଣସଂଖ୍ୟା ୧୦୦ରୁ ପରୀକ୍ଷାରେ ୧୫୧ ରଖିଲେ ବିଶ୍ୱବିଦ୍ୟାଳୟ ସ୍ନାତକ ଛାତ୍ର, ସୋସିଆଲ ମିଡ଼ିଆରେ ଭାଇରାଲ…

ଦରଭଙ୍ଗା, ୩୧।୭ :ବିହାରର ଦରଭଙ୍ଗା ଜିଲାରେ ଅବସ୍ଥିତ ଲଲିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ପରୀକ୍ଷାରେ ପୂର୍ଣ୍ଣସଂଖ୍ୟା ୧୦୦ରୁ ୧୫୧ ମାର୍କ ପାଇଛନ୍ତି। ସେ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମର ଛାତ୍ର। ସିଲାବସର ପାର୍ଟ-୨ରେ ରାଜନୀତି ବିଜ୍ଞାନର ପେପର -୪ ରେ ସେ ଏହି ମାର୍କ ପାଇଛନ୍ତି। ଛାତ୍ରଙ୍କୁ ମିଳିଥିବା ଆଶ୍ଚର୍ଯ୍ୟଜନକ ମାର୍କ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

୧୦୦ ରୁ ୧୫୧ ମାର୍କ ପାଇଥିବା ଛାତ୍ରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଛାତ୍ର ଜଣକ କହିଛନ୍ତି ଯେ ଫଳାଫଳ ଦେଖି ସେ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଯଦିଓ, ଏହା ଏକ ପ୍ରୋଭିଜନାଲ ମାର୍କ ସିଟ ଥିଲା କିନ୍ତୁ ଫଳାଫଳ ପ୍ରକାଶ କରିବା ପୂର୍ବରୁ ଅଧିକାରୀମାନେ ଏହାକୁ ଯାଞ୍ଚ କରିବା ଉଚିତ।

ସେହି ସମାନ ବିଶ୍ୱବିଦ୍ୟାଳୟର ଅନ୍ୟ ଜଣେ ଛାତ୍ର ଯିଏକି ବିକମ୍‌ ପାର୍ଟ-୨ ପରୀକ୍ଷାରେ ଆକାଉଣ୍ଟିଂ ଏବଂ ଫାଇନାନ୍ସ ପେପର -୪ ରେ ଶୂନ ମାର୍କ ପାଇଛନ୍ତି । ତେବେ ଏହା ସତ୍ତ୍ୱେ ତାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରାଯାଇଛି। ତେବେ ଏହା ଏକ ଟାଇପିଂ ତ୍ରୁଟି ବୋଲି ବିଶ୍ୱବିଦ୍ୟାଳୟ ସ୍ବୀକାର କରିଛି। ଛାତ୍ରମାନଙ୍କୁ ଏକ ସଂଶୋଧିତ ମାର୍କ ସିଟ ପ୍ରଦାନ କରାଯାଇଛି।

ଲଲିତ ନାରାୟଣ ମିଥୀଲା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମୁସ୍ତାକ ଅହମ୍ମଦ କହିଛନ୍ତି ଯେ ଉଭୟ ଛାତ୍ରଙ୍କ ମାର୍କସିଟରେ ଟାଇପିଂ ତ୍ରୁଟି ରହିଛି। ତ୍ରୁଟି ସଂଶୋଧନ କରିବା ପରେ ଦୁଇ ଛାତ୍ରଙ୍କୁ ନୂଆ ମାର୍କ ସିଟ ପ୍ରଦାନ କରାଯାଇଛି। ଏହାର କେବଳ ଏକ ଟାଇପିଂ ତ୍ରୁଟି ଏବଂ ଆଉ କିଛି ନୁହେଁ ।

Share