କୂଅ ସହ ବଗିଚାର ବାହାଘର

ଉତ୍ତର ପ୍ରଦେଶ, ବହରାଇଚ୍‌ ଜିଲ୍ଲାସ୍ଥ କଡ଼ସର୍‌ ବିଟୌରା ଗାଁରେ ହୋଇଥିବା ଏକ ଅଜବ ବିବାହର ଚର୍ଚ୍ଚା ଏବେ ଜୋର୍‌ ଧରିଛି। ଉକ୍ତ ବିବାହରେ ନା ଥିଲେ କେହି ବର ନା ଥିଲେ କନିଆ। ଭାବୁଥିବେ ତା’ହେଲେ ବାହା ହେଲେ କିଏ? ଅବିଶ୍ୱସନୀୟ ଲାଗିଲେ ବି ଏଠାରେ ପୁରା ରୀତିନିତି ଅନୁସାରେ ଏକ କୂଅ ସହ ବଗିଚାର ବିବାହ କରାଯାଇଥିଲା। ବିବାହକୁ ଆସିବା ଲାଗି ଗାଁ ଲୋକଙ୍କୁ ନିମନ୍ତ୍ରଣ ପତ୍ର ବି ବଣ୍ଟା ଯାଇଥିଲା। ବଗିଚାର ବରଯାତ୍ରୀ ଗାଁରୁ କୂଅ ପର୍ଯ୍ୟନ୍ତ ଯାଇଥିଲା। ପରଦିନ ବରଯାତ୍ରୀ ଫେରିବା ପରେ ଭୋଜିର ଆୟୋଜନ ହୋଇଥିଲା। ପଡ଼ୋଶୀ ଗାଁର ଅନେକ ଗ୍ରାମବାସୀ ବି ଏଥିରେ ସାମିଲ ହୋଇଥିଲେ। ଏସ୍‌ଡିଏମ୍‌ ମହେଶ କୁମାର କୈଥଲଙ୍କ ସହ ବ୍ଲକ୍‌ର ପ୍ରମୁଖ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ହୋଇଥିଲେ। ତେବେ ଏଭଳି ଏକ ନିଆରା ବାହାଘର ପଛର କାରଣ ହେଉଛି, ଏହି ଗାଁର ୮୫ ବର୍ଷୀୟ ବୃଦ୍ଧା ଦାଦୀ କିଶୋରୀ ଦେବୀଙ୍କ ମନରେ ଗାଁର ପୁରାତନ କୂଅ ଓ ବଗିଚାର ବିବାହ କଥା ଆସିଥିଲା। ତାଙ୍କ ମତରେ, ତାଙ୍କ ଗାଁରେ ଉଭୟ କୂଅ ଓ ବଗିଚାକୁ ପୂଜା କରିବାର ପରମ୍ପରା ରହିଛି। ତେବେ କେମିତି ହେବ ଯଦି ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଏ। ଏହି କଥା ଗାଁ ଲୋକଙ୍କ ମନକୁ ବି ଛୁଇଁଥିଲା। ଆଉ ସେଥିପାଇଁ ବିବାହର ଆୟୋଜନ ହୋଇଥିଲା।