ରାଜୀବ କର୍ମୀ
ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଉଷ୍ମତା ଜମି ଆସୁଛି। ଫେବୃୟାରୀ ମାସ ଶେଷ ସୁଦ୍ଧା ଓଡ଼ିଶାରେ ୬୨୩୪ ଗ୍ରାମପଞ୍ଚାୟତ ନିଜର ନୂଆ ସରପଞ୍ଚଙ୍କୁ ଦେଖିବ। ଯଦି ଆମେ ଅତିଶୟ ଆଶାବାଦୀ ହେବା ତେବେ ନିଶ୍ଚିତ ଭାବରେ ଆଗାମୀ ପାଞ୍ଚ ବର୍ଷରେ ଅନେକ କିଛି ପରିବର୍ତ୍ତନ ଘଟିବ। ଅନେକ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଏଥର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେଉଥିବାର ଖବର ଆସୁଛି। ସାମ୍ପ୍ରତିକ ରାଜନୀତିରେ ନିଶ୍ଚିତ ଭାବରେ ଏହା ଏକ ସକାରାତ୍ମକ ସଂକେତ। ପରିତାପର ବିଷୟ ଯେ ଅନେକ ନିର୍ବାଚିତ ପ୍ରତିନିଧି କ୍ଷମତା ହାସଲ ପରେ ନିଜର ଢାଞ୍ଚା ବଦଳାଇଥାନ୍ତି। ଭୋଟର ବିଚରା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପାଟି ଖୋଲିପାରେ ନାହିଁ। ଥରୁଟିଏ ଯାଇ ପଞ୍ଚାୟତରେ ପଚାରି ପାରେ ନାହିଁ ଯେ, ସେ ପାଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ? ଜନସାଧାରଣଙ୍କ ନୀରବତା ନେତାଙ୍କୁ ସୁହାଇଥାଏ, କଙ୍କଡ଼ାକୁ ଗୋଳି ପାଣି ସୁହାଇଲା ଭଳି। ସେମାନେ ଆରାମରେ ନିଜ ଇଚ୍ଛା ଅନୁସାରେ କାମ କରି ଚାଲନ୍ତି। ଆଶ୍ଚର୍ଯ୍ୟର ବିଷୟ ସରକାରୀ ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଯାଆନ୍ତିି।
ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ୍ ଅନୁଯାୟୀ ଆମ ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥା ଚାଲିଛି। ବିଧାନପାଳିକାରେ ସବୁଠାରୁ ନିମ୍ନ ସ୍ତରର ସରକାର ହେଉଛି ଗ୍ରାମପଞ୍ଚାୟତ। ତେଣୁ ଅନେକ ସମୟରେ ସରପଞ୍ଚକୁ ଗାଁର ମୁଖ୍ୟମନ୍ତ୍ରୀ ବୋଲି କୁହାଯାଇଥାଏ। ୭୩ତମ ସମ୍ବିଧାନ ସଂଶୋଧନ ଅନୁସାରେ ପଞ୍ଚାୟତକୁ ଅସୀମ କ୍ଷମତା ଦିଆଯାଇଛି। ଗ୍ରାମପଞ୍ଚାୟତ ଚାହଁିଲେ ପଞ୍ଚାୟତର ରୂପରେଖ ବଦଳାଇ ଦେଇପାରିବ। କିନ୍ତୁ ଏହାର ୧୦ ଭାଗ ବି କାମରେ ଆସୁ ନାହିଁ। ପଞ୍ଚାୟତକୁ ଦିଆଯାଇଥିବା ଦାୟିତ୍ୱର ଯଦି ୫୦ ଭାଗ ବି ସୂଚାରୁ ରୂପେ କାର୍ଯ୍ୟକାରୀ କରା ଯାଆନ୍ତା ତେବେ ସବୁ ପଞ୍ଚାୟତ ସୁନା ପାଲଟି ଯାଆନ୍ତା। ପଞ୍ଚାୟତିରାଜ ବ୍ୟବସ୍ଥା ବିଫଳ ହେବାର ଅନେକ କରଣ ମଧ୍ୟରୁ ପ୍ରମୁଖ କାରଣ ହେଉଛି ଜନ ସଚେତନତାର ଅଭାବ, ଅନୁପଯୁକ୍ତ ପ୍ରତିନିଧିତ୍ୱ, ରାଜନୈତିକ ଦଳଗୁଡ଼ିକର ଅଯଥା ହସ୍ତକ୍ଷେପ ଏବଂ କାର୍ଯ୍ୟପାଳିକାର ସ୍ଥାଣୁତା।
ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନର ପ୍ରତିନିଧି ଏବଂ ଜନସାଧାରଣ କେତୋଟି ବିଷୟ ପ୍ରତି ସତର୍କ ରହିଲେ ଆମେ ଆମ ଗ୍ରାମପଞ୍ଚାୟତକୁ ବଞ୍ଚେଇପାରିବା। ସାମ୍ପ୍ରତିକ ରାଜନୈତିକ ବାତାବରଣକୁ ବିଚାରକୁ ନେଲେ ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ଏବଂ ନିର୍ବାଚନ ପରବର୍ତ୍ତୀ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ନିର୍ବାଚନ ପ୍ରଚାର ସମୟରେ କେତୋଟି ଦିଗକୁ ଧ୍ୟାନ ଦିଆଯାଇ ପାରିବ। ମୁଖ୍ୟତଃ ଜନସାଧାରଣ ଏକ ଭଲ ସରପଞ୍ଚ ପ୍ରତି ଆଶାବାଦୀ ଥାଆନ୍ତି, ଯିଏ କି ନିଜର ଦୁଃଖ ସୁଖରେ ସାଥୀ ହୋଇପାରିବ। ସରକାରୀ ସୁବିଧାଟିଏ ତା’ ପାଖକୁ ପହଞ୍ଚାଇ ପାରିବ। ତା’ର ସର୍ବାଙ୍ଗୀନ ବିକାଶରେ ସହାୟତା କରିପାରିବ। କିନ୍ତୁ ଥରେ କ୍ଷମତା ହାସଲ ପରେ ତାହା ପାଣିର ଗାର ହୋଇଯାଏ। ଯେତେ କାକୁତି ମିନତି ହେଲେ ମଧ୍ୟ ନିଜର ହକ୍ ତ ଦୂରର କଥା ସାଧାରଣ ଆବଶ୍ୟକତା ବି ପୂରଣ ହୋଇପାରେ ନାହିଁ। ଏ ପରିସ୍ଥିତିରେ ଭୋଟରଟି କ’ଣ ଚିନ୍ତା କରିବ? ଏଭଳି ସ୍ଥିତି ନିର୍ବାଚନରେ ଅର୍ଥ କାରବାରର ବାଟ ଫିଟାଏ। ପାଞ୍ଚ ବର୍ଷରେ ଯାହା ସେ ପଞ୍ଚାୟତରୁ ହାସଲ କରିଥାଏ ସେଥିରେ ଭୋଟ୍ କିଣାଯାଏ। ବିଚରା ଭୋଟରଟି ଆଉ କରିବ କ’ଣ ବାଧ୍ୟ ହୋଇ ନିଜକୁ ବିକ୍ରି କରି ପାଞ୍ଚ ବର୍ଷ ପୁଣି ଗୋଲାମ ସାଜେ। ବର୍ଷ ବର୍ଷ ଧରି ଏହାର ପୁନରାବୃତ୍ତି ଘଟିଚାଲେ।
ଏପରି ସ୍ଥିତିରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କେବଳ ନିର୍ବାଚନ ସମୟରେ ନୁହେଁ, ଅନେକ ପୂର୍ବରୁ ଲୋକଙ୍କ ସହିତ ରହିବା। ସବୁ ସମୟରେ ଜନସାଧାରଣଙ୍କ ଅଂଶବିଶେଷ ହେବା ଦରକାର। ଅନେକ ସମୟରେ କିଛି କୁଜିନେତା ଅନ୍ୟମାନଙ୍କୁ ହାତବାରିସି କରି ନିର୍ବାଚନ ମଇଦାନକୁ ପଠାଇଥାନ୍ତି; ଯଦ୍ଦ୍ବାରା ସେହି ନିର୍ବାଚିତ ପ୍ରତିନିଧିମାନେ ନିଜ ଅନୁସାରେ କାମ କରିପାରନ୍ତି ନାହିଁ। ସେ ସମୟରେ ନିଜେ ନିଜର ଚେଷ୍ଟାରେ ସ୍ବତନ୍ତ୍ର ପରିଚୟଟିଏ ସୃଷ୍ଟି କରିବା ବିଧେୟ। ନିର୍ବାଚନ ପ୍ରଚାର ବେଳେ ଲୋକଙ୍କର ପ୍ରକୃତ ସମସ୍ୟା ସହିତ ଅବଗତ ହେବା, ସେହି ସମସ୍ୟାର ସମାଧାନ ପନ୍ଥା ବାହାର କରିବା, ଯୁବକମାନଙ୍କୁ ଅଗ୍ରାଧିକାର, ଲୋକଙ୍କ ଆବେଗ ପ୍ରତି ଜଡ଼ିତ ବିଷୟ ପ୍ରତି ଗୁରୁତ୍ୱ, ଲୋକଙ୍କର ଦୀର୍ଘ ମିଆଦୀ ବିକାଶକୁ ଅଗ୍ରାଧିକାର ଇତ୍ୟାଦି କେତୋଟି ପ୍ରସଙ୍ଗ ବିଚାର ଯୋଗ୍ୟ।
କ୍ଷମତା ହାସଲ ପରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଅନେକ ସମୟରେ କଠିନ ହୋଇଯାଏ। ତେଣୁ ଏ ବିଷୟରେ ମଧ୍ୟ ଉପଯୁକ୍ତ ରଣ କୌଶଳର ଆବଶ୍ୟକତା ରହିଛି। ଜଣେ ସରପଞ୍ଚଙ୍କୁ ଗ୍ରାମପଞ୍ଚାୟତ ଆଇନ୍ ଏବଂ ୭୩ତମ ସମ୍ବିଧାନ ସଂଶୋଧନ ଅଧିନିୟମକୁ ହୃଦୟଙ୍ଗମ କରିବା ଆବଶ୍ୟକ। ଏହା ସହିତ ନିଜ ଗ୍ରାମପଞ୍ଚାୟତର ସାମାଜିକ ଏବଂ ଅର୍ଥନୈତିକ ପୃଷ୍ଠଭୂମିକୁ ସମୀକ୍ଷା କରିବା ବାଞ୍ଛନୀୟ। କେତେକ ସ୍ବତନ୍ତ୍ର କାମକୁ ବାଦ୍ ଦେଲେ ଏମିତି କୌଣସି କାମ ନାହିଁ, ଯାହା ଗ୍ରାମପଞ୍ଚାୟତ କରିପାରିବ ନାହିଁ। ଅର୍ଥାତ୍ ଗ୍ରାମପଞ୍ଚାୟତ ଚାହିଁଲେ ନିଜେ ନିଜର ଶାସନ ସ୍ବାଧୀନ ଭାବରେ କରିପାରିବ। ଗ୍ରାମପଞ୍ଚାୟତରେ ନିଜସ୍ବ ପାଣ୍ଠି ଅଛି, ନିଜସ୍ବ ବ୍ୟୟ ଅଟକଳ ବି ଅଛି। ଏପରି କି କିଛି ଭାଗ ଅର୍ଥ ବିନା ଅନ୍ୟର ଅନୁମୋଦନରେ ନିଜେ ଖର୍ଚ୍ଚ ମଧ୍ୟ କରିପାରିବାର କ୍ଷମତା ରହିଛି। ପଞ୍ଚାୟତ ଯାହା ଯୋଜନା କରିଥାଏ ତାହାକୁ ନାକଚ କରିବାର କାହାର କ୍ଷମତା ନାହିଁ। କେବଳ ଏହା ଲୋକମତରେ ଗ୍ରାମସଭାରେ ଗୃହୀତ ହେବା ଉଚିତ। ହୁଏତ ଏଥିପାଇଁ ବିଳମ୍ବ ହୋଇପାରେ। ଅନେକ ସମୟରେ ବିକାଶକୁ ପଞ୍ଚାୟତଗୁଡ଼ିକ କେବଳ ରାସ୍ତାଘାଟ, ବନ୍ଧ ନିର୍ମାଣ ଭିତରେ ସୀମିତ କରି ଦିଅନ୍ତି। ତେଣୁ କେବଳ ସେ ଅନ୍ତର୍ଗତ ଆର୍ଥିକ ସହାୟତା ପଞ୍ଚାୟତକୁ ମିଳିଥାଏ। ଏହାଦ୍ୱାରା ବିକାଶର ଏକ ଅଂଶକୁ ଆମେ ହରେଇ ଦେଉ। ଏଥିରେ କେବଳ ପଞ୍ଚାୟତର ଦୋଷ ନୁହେଁ। ସରକାର ମଧ୍ୟ ଏହା ଚାହାନ୍ତି। ଆଉ ଜନସାଧାରଣଙ୍କ ଅଜ୍ଞତା ସମସ୍ତଙ୍କୁ ସୁହାଏ। ପଞ୍ଚାୟତ ନିଜସ୍ବ ବୁଦ୍ଧି ଲଗେଇ କିଛି କରିବାକୁ ଚେଷ୍ଟା କରେ ନାହିଁ, ଯାହା ଉପର ସ୍ତରରୁ ନିର୍ଦ୍ଦେଶ ଆସେ ତାକୁ କେବଳ ଅନୁସରଣ କରେ। ଏଥିରେ ଜନ ସାଧାରଣଙ୍କର ବିକାଶ ହେବ କେମିତି? ଏଥିପାଇଁ ପ୍ରତି ୱାର୍ଡ଼ର ସଭ୍ୟମାନେ ଦାୟିତ୍ୱ ନେବାର ପ୍ରଥମ ମାସ ହିଁ ଗାଁରେ ବସି ନିର୍ବାଚନ ସମୟର ପ୍ରତିଶ୍ରୁତି ସମୀକ୍ଷା, ଗାଁର ପ୍ରକୃତ ସମସ୍ୟା ଯେପରି କି ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା ଇତ୍ୟାଦିର ଚିହ୍ନଟୀକରଣ, ଗାଁ ସମ୍ବଳ ଚିହ୍ନଟ, ଗାଁର ସମସ୍ତ ହିତାଧିକାରୀ ଏବଂ ସେବା ଯୋଗାଉ ଥିବା କର୍ମଚାରୀଙ୍କ ସହିତ ପାଞ୍ଚବର୍ଷ ଏବଂ ବାର୍ଷିକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ, ଏଥିପାଇଁ ପଞ୍ଚାୟତକୁ ଅନୁରୋଧ ଏବଂ ଆବଶ୍ୟକ ସ୍ଥଳେ ଅନ୍ୟାନ୍ୟ ସଂସ୍ଥାର ସହାୟତା ନେବା ଦରକାର। ଏସବୁ ବିଷୟ ଗ୍ରାମପଞ୍ଚାୟତ ମାନୁଆଲରେ ବିଧିବଦ୍ଧ ଭାବରେ ଲେଖା ହୋଇଛି।
ଗାଁ ସ୍ତରରୁ ପଞ୍ଚାୟତକୁ ଆସୁଥିବା ସମସ୍ତ ଯୋଜନାକୁ ଗ୍ରାମ ସଭାରେ ଅନୁମୋଦନ କରି ବିନା ବାଛ ବିଚାରରେ ପଞ୍ଚାୟତ ଉପର ସ୍ତରକୁ ପଠାଇ ଯୋଜନାଗୁଡ଼ିକ କିପରି ସୁଚାରୁ ରୂପେ ମଞ୍ଜୁର ହେବ ସେଥିପ୍ରତି ଚାପ ସୃଷ୍ଟି କରିବା ଉଚିତ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ଅଧିକାଂଶ ସରପଞ୍ଚ ପଞ୍ଚାୟତର ସମସ୍ତ ଦାୟିତ୍ୱ ବିଷୟରେ ଜାଣି ନ ଥିବେ। କେବଳ ହାତଗଣତି କେତୋଟି ଦାୟିତ୍ୱ ସାରି ଦେଇ ପଞ୍ଚାୟତର ବିକାଶ ହୋଇପାରିବ ନାହିଁ। ସରକାର ୨୯ଟି ବିଭାଗକୁ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି। ଚିରାଚରିତ ଦାୟିତ୍ୱକୁ ଛାଡ଼ି ଅନ୍ୟ ଦାୟିତ୍ୱକୁ ମଧ୍ୟ ବୁଝିବା ଜରୁରୀ। ଯେପରି କି ପଶୁପାଳନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ, ସାମାଜିକ ବନ ପ୍ରକଳ୍ପ, କୁଟିର ଶିଳ୍ପର ବିକାଶ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଅଣ ପାରମ୍ପରିକ ଶକ୍ତିର ବିକାଶ, ଜୀବନ ଜୀବିକାର ତାଲିମ, ପାଠାଗାର ସ୍ଥାପନ, ସାଂସ୍କୃତିକ କାର୍ଯ୍ୟକ୍ରମ, ହାଟ ବଜାରର ବିକାଶ, ଭିନ୍ନକ୍ଷମଙ୍କ ବିକାଶ ଇତ୍ୟାଦି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଚିରାଚରିତ ତଥା ପାରମ୍ପରିକ ସମସ୍ୟା ସହିତ ଉପରୋକ୍ତ ବିଷୟ ମଧ୍ୟ ଆୟୁଧ କଲେ ଆମେ ଏକ ପୂର୍ଣ୍ଣାଙ୍ଗ ବିକାଶ ଆଡ଼କୁ ଅଗ୍ରସର ହେବା।
ଶଗଡ଼ା, ବୌଦ୍ଧ
ମୋ-୮୩୨୮୮୪୮୧୪୫