ବିଳମ୍ବିତ ନ୍ୟାୟରେ ଅତିଷ୍ଠ, କୋର୍ଟ ପରିସରରେ ବିଷ ପିଇଲେ ମହିଳା ଆଇନଜୀବୀ

ବାଲେଶ୍ୱର ଅଫିସ, ୧୨।୫: ଅନ୍ୟଙ୍କୁ ନ୍ୟାୟ ଦେବାକୁ ବିଚାରାଳୟରେ ମାମଲା ଲଢ଼ୁଥିବା ଜଣେ ମହିଳା ଆଇନଜୀବୀ ଆଜି ନିଜ ପାରିବାରିକ ମାମଲାରେ ହତାଶ ହୋଇପଡ଼ିଛନ୍ତି। ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ତାଙ୍କୁ ଏଭଳି ଅତିଷ୍ଠ କଲା ଯେ, ନ୍ୟାୟ ପାଇବା ଆଶା ଛାଡ଼ିଦେଇ କୋର୍ଟ ରୁମ୍‌ରେ ବିଷପାନ କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ପରିବାର ଅଦାଲତରେ। ଦୀର୍ଘ ୧୦ବର୍ଷ ହେଲା ସ୍ବାମୀଙ୍କ ବିରୋଧରେ ବାଲେଶ୍ୱର ପରିବାର ଅଦାଲତରେ ଛାଡ଼ପତ୍ର ଓ ଭରଣପୋଷଣ ମାମଲା କରିଥିଲେ ସୁଦ୍ଧା ଏହା ଫଇସଲା ହୋଇ ନ ପାରିବାରୁ ମହିଳା ଆଇନଜୀବୀ କୋର୍ଟ ପରିସରରେ ବିଷ ପିଇ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବାଲେଶ୍ୱର ସଦର ଥାନା ଆଇଟିଆଇସ୍ଥିତ ସତ୍ୟନଗର ଅଞ୍ଚଳର ମହିଳା ଆଇନଜୀବୀ ରାଜଶ୍ରୀ ବେହେରା ଓରଫ ବାରିକ ୧୦ବର୍ଷ ପୂର୍ବେ ସ୍ବାମୀଙ୍କ ବିରୋଧରେ ପରିବାର ଅଦାଲତରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ। ଏହାସହିତ ଏକ ଭରଣପୋଷଣ ମାମଲା ମଧ୍ୟ କରିଥିଲେ। ଏହି ଦୁଇ ମାମଲାର ଦୀର୍ଘଦିନ ଧରି କୌଣସି ଫଇସଲା ହୋଇପାରି ନ ଥିଲା।

ବୁଧବାର କୋର୍ଟ ଭିତରେ ବିଚାରପତିଙ୍କ ଆଗରେ ଉଭୟ ସ୍ତ୍ରୀସ୍ବାମୀଙ୍କ ଜେରା ଚାଲିଥିଲା। ରାଜଶ୍ରୀ ଅଦାଲତଙ୍କ ଅନୁମତିରେ ନିଜ ପକ୍ଷ ରଖିଥିଲେ। ପରେ ପ୍ରତିପକ୍ଷ ଆଇନଜୀବୀଙ୍କ ଜେରାରେ ଅତିଷ୍ଠ ହୋଇପଡ଼ିଥିଲେ। ଅଦାଲତଙ୍କଠାରୁ ଗୋଟିଏ ଦିନ ମହଲତ ମାଗି କୋର୍ଟ ରୁମ୍‌ ବାହାରକୁ ଚାଲି ଆସିଥିଲେ। ପରେ ସେ ନୂଆବଜାରସ୍ଥିତ ଏକ ଦୋକାନରୁ ବିଷ(ଥିମେଟ୍‌) କିଣି ପୁଣି ପରିବାର ଅଦାଲତ ପ୍ରକୋଷ୍ଠକୁ ଆସିଥିଲେ। ସେଠାରେ ବସି ଏକ ସୁଇସାଇଡ୍‌ ନୋଟ୍‌ ଲେଖି ବିଷ ପାନ କରିଥିଲେ। କିଛି ସମୟ ମଧ୍ୟରେ ସେ ଚେତାଶୂନ୍ୟ ହୋଇପଡ଼ିବାରୁ ପାଖରେ ଥିବା ଆଇନଜୀବୀମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତାଙ୍କର ଏକମାତ୍ର ପୁଅ ଖବରପାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚଛନ୍ତି। ଏନେଇ ବାର୍‌ ଆସୋସିଏଶନ ସମ୍ପାଦକ ସମ୍ବିତ ନନ୍ଦୀ କହିଛନ୍ତି, ଏହି ମାମଲା ପାଇଁ ସେ ଦୀର୍ଘଦିନ ହେଲା ଚାପରେ ରହିଥିଲେ। ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ସେ ଆମତ୍ହତ୍ୟା ଉଦ୍ୟମ କରିଛନ୍ତି।

Share