Advertisement
Categories: Home Leftଖେଳ

ରାହାନେଙ୍କ ନେତୃତ୍ୱକୁ ପ୍ରଶଂସା କଲେ ସେହ୍ବାଗ

ମେଲବୋର୍ନ,୨୬।୧୨- ବକ୍ସିଂ ଡେ’ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ। ରାହାନେଙ୍କ ଜବରଦସ୍ତ ବୋଲିଂ ଚେଞ୍ଜ ଓ ସ୍ମାର୍ଟ ଫିଲ୍ଡିଂ ପୋଜିଶନ ଯୋଗୁ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ୨୦୦ ମଧ୍ୟରେ ରୋକିପାରିଛି ଟିମ୍‌ ଇଣ୍ଡିଆ। ଏହା ପଛରେ ବୋଲରଙ୍କ ମୁଖ୍ୟ ଭୂମିକା ଥିଲା। ଯଶପ୍ରୀତ ବୁମରା ୪ଟି ଉଇକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଗୁରୁତ୍ୱପୂର୍ଣ୍ଣ ସଫଳତା ହାତେଇଥିଲେ। ଆଉ ପଦାର୍ପଣକାରୀ ମହମ୍ମଦ ସିରାଜ ନେଇଥିଲେ ୨ଟି ଉଇକେଟ।

” ବୋଲିଂ ଚେଞ୍ଜ ଓ ରାହାନେ ଫିଲ୍ଡରେ କରିଥିବା ପରିବର୍ତ୍ତନ ଅତ୍ୟନ୍ତ ଚମତ୍କାର ଥିଲା। ଆଉ ଅଶ୍ୱିନ, ବୁମରା ଓ ସିରାଜ ଫିଲ୍ଡ ହିସାବରେ ହିଁ ବୋଲିଂ କରିଥିଲେ। ଏହି କାରଣରୁ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲଆଉଟ୍‌ କରିବାରେ ସକ୍ଷମ ହୋଇଛି ଟିମ୍‌ ଇଣ୍ଡିଆ। ଏବେ ପ୍ରଥମ ଇନିଂସରେ ଦଳକୁ ବୃହତ୍‌ ଅଗ୍ରଣୀ ଦେବା ବ୍ୟାଟ୍ସମ୍ୟାନଙ୍କ କାର୍ଯ୍ୟ “ ବୋଲି ସେହ୍ବାଗ ଟୁଇଟ୍‌ କରିଛନ୍ତି।

ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ୧୯୫ ରନ୍‌ରେ ସୀମିତ ରହିବା ପରେ ଭାରତୀୟ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ବ୍ୟାଟିଂ କରି ୧ ଉଇକେଟ ହରାଇ ୩୬ ରନ୍‌ କରିଛି। ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ୨୮ ଓ ଚେତେଶ୍ୱର ପୂଜାରା ୭ ରନ୍‌ କରି ଅପରାଜିତ ଅଛନ୍ତି। ହାତରେ ୯ ଉଇକେଟ ଥିବାବେଳେ ପ୍ରଥମ ଇନିଂସରେ ଅଗ୍ରଣୀ ପାଇଁ ଟିମ୍‌ ଇଣ୍ଡିଆକୁ ୧୫୯ ରନ୍‌ ଦରକାର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel