ବର୍ତ୍ତମାନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ସମଗ୍ର ପୃଥିବୀରେ ବଢିବାରେ ଲାଗିଛି। ଯାହାର ଶିକାର ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ହେଉଥିବାର ଦେଖିବାକୁ ମିଳୁଛି। ତେବେ ମହିଳାଙ୍କ ଠାରେ ଦେଖା ଦେଉଥିବା ବିଭିନ୍ନ କ୍ୟାନ୍ସର ମଧ୍ୟରୁ ଓଭାରିଆନ୍ କ୍ୟାନ୍ସର ବା ଡିମ୍ବକୋଷ କର୍କଟ ଏକ ନୀରବ ଘାତକ। ଯାହାକି ସହଜରେ ଚିହ୍ନଟ ହୋଇ ପାରୁ ନ ଥିବାରୁ ରୋଗୀ ପାଇଁ ବିପଦଜନକ…
ଡିମ୍ବକୋଷର କର୍କଟ ରୋଗ ଏଭଳି ଏକ ନୀରବ ଘାତକ, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ କୌଣସି ଲକ୍ଷଣ ଦେଖାଯିଏ ନାହିଁ ଏବଂ ରୋଗଣୀ ଆଦାୈ ଜାଣିପାରେ ନାହିଁ ଯେ, ସେ ଏତେବଡ଼ ମାରାମତ୍କ ରୋଗର ଶିକାର ହେବାକୁ ଯାଉଛି। ସମୁଦାୟ ସ୍ତ୍ରୀ କର୍କଟ ରୋଗର ଶତକଡ଼ା ୧୫ରୁ ୨୦ ଭାଗ ହେଉଛି ଡିମ୍ବକୋଷର କର୍କଟ ରୋଗ।
ଲକ୍ଷଣ:
– ଏଥିରେ ଜଣ ଜଣଙ୍କର ପେଟ ଫୁଲିଯାଏ ଏବଂ ଅଳ୍ପ ଅଳ୍ପ କଷ୍ଟ ହୋଇଥାଏ। ବଦହଜମୀ ବା ଅଜୀର୍ଣ୍ଣ ସହ ହାକୁଟି ହୋଇଥାଏ। ଭୋକ ହୁଏ ନାହିଁ, ଖାଇବାକୁ ଇଚ୍ଛା ହୁଏ ନାହିଁ ଏବଂ ଫୁଲା ଫୁଲା ଲାଗେ।
– ଯଦି ଆଗରୁ ଡିମ୍ବକୋଷର ଅର୍ବୁଦ ଥାଏ ସେଗୁଡିକ ଆକାରରେ ବଢ଼ିଯାଏ, କଷ୍ଟ ହୁଏ, ଫୁଲିଯାଏ ଏବଂ ଦରଜ ହୁଏ। ବେଳେବେଳେ ଅର୍ବୁଦଟି ଖୁବ୍ ଶୀଘ୍ର ବଢ଼ି ଆସ୍ତେ ଆସ୍ତେ ପେଟ ବେଶି ଫୁଲିଯାଏ। ଏହି ଟ୍ୟୁମର ଖୁବ୍ ଶୀଘ୍ର ବଢ଼ିଯାଏ।
– ତଳି ପେଟରେ କଷ୍ଟ ହୁଏ।
– ହଠାତ୍ ଓଜନ କମିଯାଏ।
– ଛାତିରେ ଯନ୍ତ୍ରଣା ହୁଏ ତଥା ନିଃଶ୍ୱାସ ନେବାରେ କଷ୍ଟ ହୁଏ।
-ଋତୁସ୍ରାବରେ ଅନିୟମିତତା ଦେଖାଦିଏ।
ସମୁଦାୟ ଡିମ୍ବକୋଷ ଅର୍ବୁଦ ରୋଗର ଶତକଡ଼ା ୨୦ ଭାଗ ହେଉଛି କର୍କଟ ରୋଗ। ଏହା ବିଶେଷ ଭାବରେ ବନ୍ଧ୍ୟାଦୋଷ ଥିବା ମହିଳାଙ୍କଠାରେ ଦେଖାଦେଇଥାଏ। ସ୍ତନ କର୍କଟ ଓ ଜରାୟୁ ଗ୍ରୀବା କର୍କଟ ପରେ ପରେ ଡିମ୍ବକୋଷର କର୍କଟ ହେଉଛି ମହିଳାମାନଙ୍କର ମୃତ୍ୟୁର ଅନ୍ୟ ଏକ ମୁଖ୍ୟ କାରଣ।
କାରଣ: ସ୍ତନ କର୍କଟ, ଅନ୍ତନଳୀର କର୍କଟ ଭଳି ଡିମ୍ବକୋଷର କର୍କଟ ରୋଗ ମଧ୍ୟ ବଂଶଗତ। ପରିବାରରେ ଆଗରୁ ମା’, ଭଉଣୀ ବା ରକ୍ତ ସମ୍ପକୀୟଙ୍କୁ ଏହି କର୍କଟ ରୋଗ ହୋଇଥିଲେ ଉକ୍ତ ରୋଗ ହେବା ସମ୍ଭାବନା ବେଶି ଥାଏ। ବଂଶଗତ ଡିମ୍ବକୋଷ କର୍କଟ ରୋଗରେ ଲିଞ୍ଚ୍ ଟାଇପ୍ ୧ ଓ ଲିଞ୍ଚ୍ ଟାଇପ୍ ୨ ଜିନ୍ ଥାଏ ଏବଂ ଏହାଛଡା ଯେଉଁ ମହିଳାମାନଙ୍କର ବିଆର୍ଏସ୍ଏ ଜିନ୍ ଥାଏ, ସେମାନଙ୍କର ସ୍ତନ ଓ ଡିମ୍ବକୋଷ କର୍କଟ ରୋଗ ହୁଏ। ଗର୍ଭଧାରଣ ନ ହୋଇ ପ୍ରତିମାସରେ ମାସିକ ଋତୁସ୍ରାବ ହୋଇ ଓଭ୍ୟୁଲେସନ ହେଲେ ଏହା ଡିମ୍ବକୋଷ କର୍କଟ ରୋଗ ହେବାରେ ସାହାଯ୍ୟ କରିଥାଏ। ତେଣୁ ଇଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟୋରୋନ୍ ମିଶ୍ରିତ ଗର୍ଭ ନିରୋଧକ ବଟିକା ଖାଇଲେ ଓଭ୍ୟୁଲେଶନ ହୁଏ ନାହିଁ ବା ଡିମ୍ବକୋଷକୁ ଡିମ୍ବ ନିର୍ଗତ ହୁଏ ନାହିଁ। ଏହା ହିଁ ଡିମ୍ବକୋଷ କର୍କଟ ରୋଗ ନ ହେବାର ମୁଖ୍ୟ କାରଣ ହୋଇଥାଏ। ତେଣୁ ଯେଉଁ ମହିଳାମାନଙ୍କର ଗର୍ଭଧାରଣ ହୋଇ ନ ଥାଏ ସେମାନଙ୍କର ଏହି କର୍କଟ ରୋଗ ବେଶି ହୋଇଥାଏ। ଅପରପକ୍ଷରେ ବହୁ ସନ୍ତାନ ଥିବା ମହିଳାମାନଙ୍କର ଡିମ୍ବକୋଷ କର୍କଟ ରୋଗ କମ୍ ହୋଇଥାଏ। ଏହାଛଡ଼ା ଅତ୍ୟଧିକ କଫିପାନ, ଧୂମପାନ, ମଦ୍ୟପାନ ତଥା ଚର୍ବି ଓ ତେଲ, ଘିଅ ଛଣାଛଣି ଖାଦ୍ୟ ଖାଇଲେ ଏହି ରୋଗ ହେବା ଆଶଙ୍କା ବେଶି ଥାଏ। ଅପର ପକ୍ଷରେ ସ୍ତନ୍ୟପାନ, ବନ୍ଧ୍ୟାକରଣ ଅସ୍ତ୍ରୋପଚାର (ଟ୍ୟୁବେକ୍ଟୋମି) ଓ ଜରାୟୁ ଅପସାରଣ ଡିମ୍ବକୋଷ କର୍କଟରୋଗ ହେବାର ବିପଦକୁ କମାଇ ଦେଇଥାଏ।
ଷ୍ଟେଜିଂ : ଡିମ୍ବକୋଷର କର୍କଟ ରୋଗକୁ ଷ୍ଟେଜିଂ ବା ପର୍ଯ୍ୟାୟଭୁକ୍ତ କରିବା ଅତି ଜରୁରୀ। ଅସ୍ତ୍ରୋପଚାର ପରେ କେମୋଥେରାପି ପାଇଁ ତଥା ଏହାଦ୍ୱାରା ରୋଗୀର ଅବସ୍ଥାର କେତେ
ଉନ୍ନତ ଘଟିଲା ତାହା ଜାଣିବା ପାଇଁ ଏହି ଷ୍ଟେଜିଂ କରାଯାଇଥାଏ। ତେଣୁ ଏହି ରୋଗ ଜଟିଳତାକୁ ଧ୍ୟାନରେ ରଖି ୪ଟି ଷ୍ଟେଜିଂ କରାଯାଇ ଚିକିତ୍ସା କରାଯାଇଥାଏ।
ଶରୀରରେ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଏହା କିଭଳି ଭାବରେ ବ୍ୟାପିଥାଏ :
(୧)ଡିମ୍ବକୋଷରୁ କର୍କଟ ରୋଗର କୋଷ ସିଧାସଳଖ ଜରାୟୁ, ଡିମ୍ବବାହୀ ନଳୀ ତଥା
ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ଯାଇଥାଏ।
(୨) ପେଟ ଭିତରେ ଡିମ୍ବକୋଷର ଉପରିଭାଗ ଫାଟିଯାଇ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଯାଇଥାଏ।
(୩) ରକ୍ତ ବା ଧମନୀ ଦ୍ୱାରା କର୍କଟ କୋଷ ବିଭିନ୍ନ ଦିଗକୁ ପ୍ରସାରିତ ହୋଇଥାଏ ଯଥା ଯକୃତ, ଫୁସ୍ଫୁସ୍ ଓ ହାଡ଼।
(୪) ଲିମ୍ଫାଟିକ୍ ଦ୍ୱାରା ମଧ୍ୟ ଏହା ବିଭିନ୍ନ ଗ୍ଲାଣ୍ଡକୁ ବିଶେଷ କରି ବେକରେ ଥିବା ସୁପ୍ରାକ୍ଲାଭିକୁଲାର ଗ୍ଲାଣ୍ଡକୁ ବ୍ୟାପିଯାଇଥାଏ।
ବୟସ ସୀମା:ଏହି ରୋଗ ବୟସ୍କା ମହିଳାମାନଙ୍କୁ ଅଧିକ ହୋଇଥାଏ। ଶତକଡ଼ା ୯୦ ଭାଗ କର୍କଟ ରୋଗ ମାସିକ ଋତୁସ୍ରାବ ବିରତିର ଠିକ୍ ପୂର୍ବରୁ ହୋଇ ଥାଏ। ତେବେ ଏହା ଯେ, କାୈଣସି ବୟସର ମହିଳାଙ୍କଠାରେ ମଧ୍ୟ ଦେଖା ଦେଇଥାଏ।
ହାଇରିସ୍କ: ୪୫ ବର୍ଷ ବା ତଦୂର୍ଦ୍ଧ୍ୱ ବୟସର ବନ୍ଧ୍ୟା ମହିଳା, ଯେଉଁ ମହିଳାଙ୍କର ବଂଶରେ ମା’ ମାଉସୀ କିମ୍ବା ପ୍ରଥମ ରକ୍ତ ସମ୍ପର୍କୀୟଙ୍କୁ ଯଦି ପୂର୍ବରୁ ଏହି ରୋଗ ହୋଇଥାଏ, ମାସିକ ଋତୁସ୍ରାବର ବିରତି ପୂର୍ବରୁ ମହିଳାଙ୍କର ସନ୍ଦେହଜନକ ଡିମ୍ବକୋଷ ଥିଲେ, ଯଦି ଜଣେ ମହିଳାଙ୍କର ଆଗରୁ ଅଣକର୍କଟ ବା ବନାରନ ଅର୍ବୁଦର ଅସ୍ତ୍ରୋପଚାର ହୋଇଥାଏ, ଯଦି ମହିଳାଙ୍କର ପୂର୍ବରୁ ସ୍ତନକର୍କଟ ରୋଗ ଥାଏ, ଯଦି ବୟସ୍କା ମହିଳା ଆଗରୁ କୌଣସି କର୍କଟ ରୋଗ ପାଇଁ ରେଡିଏଶନ ପାଇଥାନ୍ତି କିମ୍ବା ସେଥିପାଇଁ ତାଙ୍କର ମାସିକ ଋତୁସ୍ରାବର ବିରତି ହୋଇଥାଏ ତେବେ ଡିମ୍ବକୋଷ କର୍କଟ ରୋଗର ଆଶଙ୍କା ବେଶି।
ପରୀକ୍ଷା : ପେଟ ପରୀକ୍ଷା କରି ଅର୍ବୁଦର ଆକାର ବଢ଼ିଥିବା ଏବଂ କଠିନ ହୋଇ ନ ହଲୁଥିବା ଜଣାପଡ଼େ। ଯୌନ ପରୀକ୍ଷା ଦ୍ୱାରା ଟ୍ୟୁମରର ଆକାର ସହ ଏହା ଜରାୟୁ ସହ ସଂଶ୍ଲିଷ୍ଟ କି ନାହିଁ ଜଣାପଡ଼େ। ଏହା ବ୍ୟତୀତ ଅସ୍ତ୍ରୋପଚାର କରିବା ପୂର୍ବରୁ ଏହା ଡିମ୍ବାଶୟର କର୍କଟରୋଗ ରୋଗ କି ନୁହେଁ ଏବଂ ଏହା କେତେଦୂର ପର୍ଯ୍ୟନ୍ତ ବ୍ୟାପିଛି ଜାଣିବା ଲାଗି ସ୍ବତନ୍ତ୍ର ପରୀକ୍ଷା କରାଯାଏ।
ପ୍ରାଥମିକ ପର୍ଯ୍ୟାୟରେ ଏହାର ଚିହ୍ନଟ: ଏହା ଚିହ୍ନଟ କରିବା ଖୁବ୍ କଷ୍ଟକର। କାରଣ ଏହାର ନିର୍ଦ୍ଦିଷ୍ଟ ବୟସସୀମା ନ ଥାଏ ଏବଂ ଏହା ପ୍ରାୟ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାମାନଙ୍କୁ ହୋଇଥାଏ। ୧୫ ରୁ ୨୦ ଭାଗ ମହିଳାମାନଙ୍କର ଆଦୌ କିଛି ଲକ୍ଷଣ ନ ଥାଏ। ଏହି ରୋଗର ଚିହ୍ନଟ ହେବାବେଳକୁ ଶତକଡ଼ା ୭୦ ଭାଗ ମହିଳାଙ୍କଠାରେ ଏହା ଶରୀର ଭିତରେ ବହୁ ଅଙ୍ଗକୁ ବ୍ୟାପିଯାଇଥାଏ।
ଚିକିସତ୍ା :
ସବୁ କର୍କଟ ରୋଗ ପରି ଡିମ୍ବକୋଷ କର୍କଟ ରୋଗର ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରିବା କଷ୍ଟକର।
ତେବେ ମଧ୍ୟ କେତେକ କ୍ଷେତ୍ରରେ ପ୍ରତିଷେଧକ ବ୍ୟବସ୍ଥାତ ଗ୍ରହଣ କଲେ ଏହି ରୋଗଠାରୁ ଦୂରେଇ ରହିପାରିବା।
ଜରାୟୁ ଅପସାରଣ ଅସ୍ତ୍ରୋପଚାର ସମୟରେ ‘ହାଇରିସ୍କ’ ମହିଳାମାନଙ୍କ ଶରୀରରୁ ଦୁଇଟି ଯାକ ଡିମ୍ବକୋଷ ବାହାର କରିନେବା ଜରୁରୀ। ବିଶେଷ ଭାବରେ ଲକ୍ଷଣ ନ ଥିବା ମହିଳାମାନଙ୍କ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେବା କଷ୍ଟକର ହୋଇଥାଏ। ତଥାପି ପେଟର ଅଲ୍ଟ୍ରାସାଉଣ୍ଡ କରିି ଟ୍ୟୁମର ସନ୍ଦେହ ହେଲେ ତୁରନ୍ତ ଚିକିସତ୍ା କରାଇବା ଆବଶ୍ୟକ। ହାଇରିସ୍କ ମହିଳାମାନେ ବର୍ଷକୁ ଅନ୍ତତଃ ଥରେ ସ୍ତ୍ରୀରୋଗ ବିଶେଷଜ୍ଞମାନଙ୍କ ପାଖରେ ନିଜର ସମ୍ପୂର୍ଣ୍ଣ ଶରୀର ପରୀକ୍ଷା କରାଇନେଲେ ଏହି ରୋଗ ପ୍ରାଥମିକ ପର୍ଯ୍ୟାୟରୁ ଚିହ୍ନଟ ହୋଇଥାଏ ଏବଂ ମୂଲ୍ୟବାନ୍ ଜୀବନ ରକ୍ଷା ହୋଇପାରିଥାଏ।
ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍ରୋଡ୍, କଟକ-୧୨