Categories: ଜାତୀୟ

ସିସୋଡିଆ-ଜୈନଙ୍କ ଗିରଫଦାରୀ ବିରୋଧରେ ଏଏପି ସଂଗ୍ରହ କଲା ୧୦ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ

ନୂଆଦିଲ୍ଲୀ,୧୦।୪: ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ବିରୋଧରେ ଘରକୁ ଘର ଅଭିଯାନ ସମୟରେ ଦଳ ୧୦ଲକ୍ଷରୁ ଅଧିକ ଦସ୍ତଖତ ସଂଗ୍ରହ କରିଛି। ଏହାପରେ ସିସୋଡିଆ ଏବଂ ଜୈନଙ୍କ ଗିରଫଦାରୀକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ପଠାଯିବ ବୋଲି ଏଏପିର ଦିଲ୍ଲୀ ୟୁନିଟ ସଂଯୋଜକ ଗୋପାଳ ରାୟ କହିଛନ୍ତି। ଏନେଇ ସୋମବାର ଏଏପି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଲୋକଙ୍କଠାରୁ ଦସ୍ତଖତ ସଂଗ୍ରହ ପାଇଁ ଦଳ ଗତ ମାସରେ ସମସ୍ତ ୱାର୍ଡରେ ଘରକୁ ଘର ଅଭିଯାନ ଆରମ୍ଭ କରିଥିଲା। ଆମର ଲକ୍ଷ୍ୟ ୧୦ଲକ୍ଷ ଦସ୍ତଖତ ସଂଗ୍ରହ କରିବାର ଥିଲା ଏବଂ ରବିବାର ଏହାକୁ ହାସଲ କରିଛୁ ବୋଲି ରାୟ କହିଛନ୍ତି। ଏହି ଅଭିଯାନରେ ଜିଲା ପ୍ରଭାରୀ, ଲୋକ ସଭା ପ୍ରଭାରୀ ଏବଂ କାଉନସିଲର ସାମିଲ ହୋଇଥିଲେ। ସେ ଦାବି କରିଛନ୍ତି ଯେ, ସିସୋଡିଆ ଏବଂ ଜୈନ ଶିକ୍ଷା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିିଛନ୍ତି। ଅନ୍ୟପଟେ ଏକ ଖବରଦାତା ସମ୍ମିଳନୀରେ ରାୟ କହିଛନ୍ତି, ସିସୋଡିଆ ସରକାରୀ ବିଦ୍ୟାଳୟରେ ପରିବର୍ତ୍ତନ ଆଣିଥିବା ବେଳେ ସତ୍ୟେନ୍ଦ୍ର ଜୈନ ମୋହଲ୍ଲା କ୍ଲିନିକ ମଡେଲ ଦେଇଥିଲେ। ତାଙ୍କୁ ଜେଲରେ ରଖାଯିବା ନେଇ ଦିଲ୍ଲୀବାସୀ କ୍ରୋଧ ପ୍ରକାଶ କରିଛନ୍ତି। ତେବେ ଏହି ଅଭିଯାନକୁ ସମର୍ଥନ କରିଥିବାରୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share