୨ ବର୍ଷରେ ପୋଲିସ ଉପରେ ୧୫ରୁ ଊର୍ଦ୍ଧ୍ୱ ଆକ୍ରମଣ

ଭୁବନେଶ୍ୱର,୩।୬(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ହତ୍ୟା, ଛିନତାଇ, ଚୋରି, ଡକାୟତି, ଆକ୍ରମଣ ଆଦି ଆପରାଧିକ ଘଟଣା ବଢିବାରେ ଲାଗିଛି। ଘରେ ହେଉ କି ବାହାରେ, ସବୁଠି ଲୋକେ ନିଜକୁ ଅସରୁକ୍ଷିତ ଅନୁଭବ କରୁଛନ୍ତି। କେତେବେଳେ କିଏ ଆସି ହାଣି ଚାଲିଯିବ, ସବୁକିଛି ଲୁଟିନେବ – ଏଭଳି ଭୟ ଓ ଆଶଙ୍କା ସବୁବେଳେ ଲୋକଙ୍କୁ ଘାରୁଛି। କାରଣ ରାଜଧାନୀରେ ଚାଲିଛି ଅପରାଧୀ ରାଜ୍‌। ଏପରିକି ଲୋକଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ବି ନିଜେ ଅସୁରକ୍ଷିତ ହୋଇପଡୁଛି। ସହରକୁ ଅପରାଧ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଉଛି। ଏହାସତ୍ତ୍ୱେ ମଧ୍ୟ ଅପରାଧୀଙ୍କ ମଧ୍ୟରେ ପୋଲିସ ପ୍ରତି ଟିକେ ହେଲେ ଭୟ ରହୁନି। ପୋଲିସ ପୋଷାକରେ ଥିବା ସତ୍ତ୍ୱେ ଅପରାଧୀ ଓ ମଦ୍ୟପମାନେ କେତେବେଳେ ଦୁର୍ବ୍ୟବହାର ତ ପୁଣି କେତେବେଳେ ଆକ୍ରମଣ କରି ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଏପରିକି ସାଧାରଣ ଲୋକେ ମଧ୍ୟ ପୋଲିସକୁ ଆକ୍ରମଣ କରୁଥିବାର ଦେଖାଯାଇଛି। ଗତ ୨ ବର୍ଷ ମଧ୍ୟରେ ମିଶନରେଟ ପୋଲିସ ୧୫ରୁ ଅଧିକ ଥର ଆକ୍ରମଣ ଶିକାର ହୋଇଥିବା ନଜିର ରହିଛି। ତେବେ ପୋଲିସ ପ୍ରତି ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବୁଦ୍ଧିଜୀବୀ ମହଲରେ ନାନା ଆଲୋଚନା ହେଉଛି। ଯଦି ପୋଲିସ ନିଜେ ସୁରକ୍ଷିତ ନୁହେଁ, ତା’ହେଲେ ସାଧାରଣ ଜନତାଙ୍କୁ କିଭଳି ସୁରକ୍ଷିତ ଦେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କମିଶନରେଟ ପୋଲିସ ନିଜକୁ ସେଭଳି ଦକ୍ଷ କରିବା ସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ପ୍ରକାଶ ପାଉଛି।

କିଛି ଘଟଣାବଳୀ…

୨୦୨୩ ଅଗଷ୍ଟ ୧୮ ରାତିରେ ଲିଙ୍ଗିପୁରରେ ଡକାୟତି ଯୋଜନାବେଳେ ଧଉଳି ପୋଲିସ ଚଢ଼ାଉ କରିବାରୁ ଅପରାଧୀମାନେ ପୋଲିସ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ।
୨୦୨୩ ଅଗଷ୍ଟ ୨୬ରେ ରଙ୍ଗ୍‌ ରୁଟ୍‌ରେ ବାଇକ୍‌ ଚଳାଇ ଆସୁଥିବାବେଳେ ବାରଣ କରିବାରୁ ଖାରବେଳଗନ ଥାନା ଏଏସ୍‌ଆଇ ଦେବରାଜ କିଶାନଙ୍କୁ ଜଣେ ଯୁବତୀ ଓ ତାଙ୍କର କେତେଜଣ ସହଯୋଗୀ ଗାଳିଗୁଲଜ କରିବା ସହ ଚାପୁଡ଼ା ମାରିଥିଲେ।
୨୦୨୩ ସେପ୍ଟେମ୍ବର ୨୬ରେ ଉଚ୍ଚ ଶବ୍ଦ ମ୍ୟୁଜିକ ବଜାଇ ଯାଉଥିବା ଶୋଭାଯାତ୍ରାକୁ ବାରଣ କରିବାରୁ ପିସିଆର୍‌ ଗାଡିକୁ ଭଙ୍ଗାରୁଜା ସହ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଧଉଳି ଥାନା ପୋଲିସ ଡିଜେ ପ୍ଲେୟାରଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

୨୦୨୩ ଅଗଷ୍ଟଅକ୍ଟୋବର ୮ ରାତିରେ ୩ଜଣ ଯୁବକ ମଦ୍ୟପାନ କରି ଗାଡି ଚଳାଇବା ସହ ଲୋକଙ୍କୁ ଗାଳିଗୁଳଜ କରୁଥିବାବେଳେ ଭରତପୁର ଥାନାର ଏସ୍‌ଆଇ ଓ ଜଣେ ହାବିଲଦାର ସେମାନଙ୍କୁ ପିଛା କରି କାବୁ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମଦ୍ୟପ ଯୁବକମାନେ ଦୁଇଜଣ ପୋଲିସ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ସମ୍ପୃକ୍ତ ମଦ୍ୟପଯୁବକଙ୍କୁ କାବୁ କରି ମାଡ଼ ମାରିଥିଲେ।
୨୦୨୪ ମାର୍ଚ୍ଚ ୧୧ରେ ପିସିଆର କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାରେ ତମାଣ୍ଡୋ ଥାନା ପୋଲିସ ୨ ଭାଇଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା।
୨୦୨୪ ଏପ୍ରିଲ ୨୮ରେ ମାଷ୍ଟରକ୍ୟାଣ୍ଟିନ ଛକରେ ଖାରବେଳନଗର ଥାନା ଅଧିକାରୀ ତାଙ୍କ ଟିମ୍‌ ସହ ଚେକିଂ କରୁଥିଲେ। ଏହି ସମୟରେ ଶ୍ରୀୟାଟକିଜ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ଅଭିମୁଖେ ଏକ କାର ଦ୍ରୁତଗତିରେ ବିପଦଜନକ ଭାବେ ଆସୁଥିବା ଦେଖି ପୋଲିସ କର୍ମଚାରୀ ଉକ୍ତ ଗାଡିକୁ ବହୁ କଷ୍ଟରେ ଅଟକାଇଥିଲେ। ହେଲେ କାର ଭିତରେ ବସିଥିବା ଯୁବକମାନେ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଥିଲେ। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ।
୨୦୨୪ମେ ୩୦ରେ ଜଣେ ନାବାଳକଙ୍କୁ ଆକ୍ରମଣକାରୀ କବଳରୁ ଉଦ୍ଧାର କରିବାକୁ ଯାଇଥିବା ପିସିଆର ପୋଲିସକୁ ସଂଘବଦ୍ଧ ଆକ୍ରମଣ ହେବା ସହ ଗାଡି ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଜଣେ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲା।

୨୦୨୪ ଜୁନ୍‌ ୧ ମଧ୍ୟରାତ୍ରିରେ ମଦ୍ୟପାନ କରି ରାସ୍ତାରେ ଗାଡି ଚଳାଉଥିବା ୪ ଯୁବକଙ୍କୁ ଚେକିଂ କରୁଥବା ପୋଲିସ କାବୁ କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେମାନେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଆକ୍ରମଣ କରିଥିଲେ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ୪ ମଦ୍ୟପ ବ୍ୟକ୍ତିଙ୍କୁ ପରେ ଗିରଫ କରାଯାଇଛି।

Share