୬ ମାସରେ ୧୮୦୦ରୁ ଅଧିକ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୪୬୦୦ ଟପିଛି: ପଶ୍ଚିମ ଆଫ୍ରିକାରେ ଆତଙ୍କବାଦ ସ୍ଥିତି ନେଇ ଜାତିସଂଘର ଚିନ୍ତା…

ଜେନେଭା,୨୬।୭ : ପଶ୍ଚିମ ଆଫ୍ରିକାରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ୧୮୦୦ ରୁ ଅଧିକ ଆତଙ୍କବାଦୀ ଆକ୍ରମଣ ରେକର୍ଡ କରାଯାଇଛି। ଯେଉଁଥିରେ ଲୋକଙ୍କର ମୃତ୍ୟୁ ସଂଖ୍ୟା ୪୬୦୦ ଟପିଛି। ଏନେଇ ଜଣେ ବରିଷ୍ଠ ଆଞ୍ଚଳିକ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦକୁ ବରିଷ୍ଠ ଆଞ୍ଚଳିକ ଅଧିକାରୀ ଓମାର ଟୁରେ କହିଛନ୍ତି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକର ୧୫ ରାଷ୍ଟ୍ରର ଅର୍ଥନ ନୈତିକ ସମ୍ପ୍ରଦାୟ (ଇସିଓଡବ୍ଲୁଏଏସ) ରେ ପ୍ରାୟ ୫୦ ପ୍ରତିଶତ ଲୋକ ଶରଣାର୍ଥୀ ହୋଇଥିବାବେଳେ ଏବଂ ୬୨ ଲକ୍ଷରୁ ଅଧିକ ବିସ୍ଥାପିତ ହୋଇଛନ୍ତି।

ସେ କହିଛନ୍ତି ଅନ୍ତର୍ଜାତୀୟ ସହାୟତା ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଆସନ୍ତା ମାସ ସୁଦ୍ଧା ଏହି ଅଭାବୀ ଲୋକଙ୍କ ସଂଖ୍ୟା ୪.୨ କୋଟିକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏନେଇ ଜାତିସଂଘର ଚିନ୍ତା ବଢ଼ିବାରେ ଲାଗିଛି।

ଆତଙ୍କବାଦ, ସଶସ୍ତ୍ର ବିଦ୍ରୋହ, ସଂଗଠିତ ଅପରାଧ, ସରକାରଙ୍କ ଅସାମ୍ବିଧାନିକ ପରିବର୍ତ୍ତନ, ବେଆଇନ ସାମୁଦ୍ରିକ କାର୍ଯ୍ୟକଳାପ, ପରିବେଶ ସଙ୍କଟ ଏବଂ ମିଥ୍ୟା ଖବର ସମେତ ଅନେକ କାରଣ ଏହି ଅଞ୍ଚଳର ଅସୁରକ୍ଷିତତାକୁ ବଢ଼ାଉଛି ବୋଲି ସେ କହିଛନ୍ତି। ମାଲି, ବୁର୍କିନା ଫାସୋ ଏବଂ ଗିନି ଆଦି ତିନୋଟି ଦେଶରେ ସାମରିକ ଶାସନ ମଧ୍ୟରେ ଆତଙ୍କବାଦ ପୁନର୍ବାର ଆରମ୍ଭ ହେବା ନେଇ ଏହି ଅଞ୍ଚଳର ଶାସକଙ୍କ ଚିନ୍ତା ବୃଦ୍ଧି ପାଇଥିବା ସେ କହିଛନ୍ତି।

Share