ନୂଆଦିଲ୍ଲୀ,୯।୨: ୨୦୧୮ରୁ ୨୦୨୦ ମଧ୍ୟରେ ବେରୋଜଗାର ଏବଂ ରୁଣ ଚାପରେ ୨୫ ହଜାରରୁ ଅଧିକ ଭାରତୀୟ ଆତ୍ମହତ୍ୟା କରିଛନ୍ତି। ରାଜ୍ୟ ସଭାରେ ବୁଧବାର ଏଭଳି ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ତେବେ ଦୁଇ ବର୍ଷ ମଧ୍ୟରେ ବେକାରୀ ସମସ୍ୟା ପାଇଁ ୯,୧୪୦ ଲୋକ ଆତ୍ମହତ୍ୟା କରିଥିବା ବେଳେ ଦେବାଳିଆ ତଥା ରୁଣ ଭାରରେ ୧୬,୦୯୧ ଭାରତୀୟ ଚରମ ନିଷ୍ପତ୍ତି ନେଇଥିବା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।
ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଇ ଉପରୋକ୍ତ ସୂଚନା ଦେଇଛନ୍ତି। ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନ୍ସିଆରବି) ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଏହି ତଥ୍ୟ ଅନୁଯାୟୀ, ବେକାରୀଙ୍କ ଆତ୍ମହତ୍ୟା ହାର ମହାମାରୀ ବର୍ଷ(୨୦୨୦)ରେ ଶୀର୍ଷ ଛୁଇଁଥିଲା। ସେହି ବର୍ଷ ସର୍ବାଧିକ ବେକାରୀ ସମସ୍ୟା ପାଇଁ ୩,୫୪୮ ଜଣ ଆତ୍ମହତ୍ୟା କରିଥିଲେ। ୨୦୧୮ ଓ ୨୦୧୯ରେ ଏହି ସଂଖ୍ୟା ଯଥାକ୍ରମେ ୨,୭୪୧ ଓ ୨,୮୫୧ ଥିଲା।