Categories: ଜାତୀୟ

ନିର୍ବାଚନ ପାଇଁ ୨ ସପ୍ତାହରେ ବଢ଼ିଛି ୩୦୦ ଗୁଣା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୨ା୪- ନିର୍ବାଚନର ସମ୍ମୁଖୀନ ହୋଇଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ୍‌-୧୯ ପଜିଟିଭଙ୍କ ସଂଖ୍ୟା ଦୁଇ ଗଣା ବଢ଼ିଯାଇଛି। ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ଆୟୋଗ (ଇସି) ତାରିଖ ଘୋଷଣା କରିବା ପୂର୍ବରୁ ଚାଲୁଥିଲା ପ୍ରଚାର କାର୍ଯ୍ୟ। ତାରିଖ ପ୍ରକାଶ ପାଇବା ପରେ ରାଜନୈତିକ ରାଲି ଓ ମାର୍ଚ୍ଚରେ କୋଭିଡ୍‌ ନିୟମ ପାଳନ କରାଯାଇ ନ ଥିଲା। ଫଳରେ ୨ ସପ୍ତାହରେ ୩୦୦ ଗୁଣା ବୃଦ୍ଧି ଯାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

ସବୁଠୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ବଙ୍ଗ। ଏହି ରାଜ୍ୟରେ ୩୭୮ ପ୍ରତିଶତ ବୃଦ୍ଧି ପାଇ ସଂକ୍ରମଣ ସଂଖ୍ୟା ୩୦,୨୩୦ରେ ପହଞ୍ଚିଛି। ରାଜ୍ୟରେ ନିର୍ବାଚନ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ୮ମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୭ ତାରିଖରେ ହେବ।

ମତଦାନ କେନ୍ଦ୍ରରେ ଇସି ପକ୍ଷରୁ ପଦକ୍ଷେପ ନିଆଯାଉଛି। ମତଦାତାଙ୍କ ଟେମ୍ପରେଚର ମପା ଯିବା ସହ ସାନିଟାଜର ବ୍ୟବହାର ଓ ଭୋଟର୍ସଙ୍କ ମଧ୍ୟରେ ସାମାଜିକ ଦୂରତା ମଧ୍ୟ ପାଳନ କରାଯାଉଛି। କିନ୍ତୁ ରାଜନେଅତିକ ରାଲିରେ କୋଭିଡ୍‌ ନିୟମ ପାଳନ କରାଯାଉ ନାହିଁ। ପରିସ୍ଥିତିର ଗୁରୁତ୍ୱ ବୁଝିବା ପରେ ରାଲିରେ କୋଭିଡ୍‌ ନିୟମ ପାଳନ ନ ହେଲେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକଙ୍କୁ ବ୍ୟାନ କରିବାକୁ ତାଗିଦା ଦେଇଛି ନିର୍ବାଚନ ଆୟୋଗ।

Share