Categories: ଜାତୀୟ

ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି ୭ ହଜାର ପାକିସ୍ତାନୀ

ନୂଆଦିଲ୍ଲୀ,୨୨।୧୨: ଚଳିତ ବର୍ଷ ଡିସେମ୍ବର ୧୪ ତାରିଖ ସୁଦ୍ଧା ୭,୩୦୬ ଜଣ ପାକିସ୍ତାନ ନାଗରିକ ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି। ଏ ନେଇ ସଂସଦକୁ ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଇ। ଚଳିତ ମାସ ୧୪ ତାରିଖ ସୁଦ୍ଧା ୧୦,୬୩୫ ଜଣ ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି। ମୋଟ ଆବେଦନକାରୀ ମଧ୍ୟରୁ ୭୦ ପ୍ରତିଶତ ପାକିସ୍ତାନରୁ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଲୋକସଭାରେ ବୁଧବାର ଭାରତୀୟ ନାଗରିକତା ପାଇଁ କେତେ ସଂଖ୍ୟାରେ ଆବେଦନ ଆସିଛି ଓ ଆବେଦନକାରୀଙ୍କ ବର୍ତ୍ତମାନ ନାଗରିକତା ସମ୍ପର୍କରେ ପ୍ରଶ୍ନ କରିଥିଲେ ଏମ୍‌ପି ଅବଦୁଲ ଓ୍ବାହାବ।

ପାକିସ୍ତାନ ନାଗରିକଙ୍କ ବ୍ୟତୀତ ଆବେଦକଙ୍କ ମଧ୍ୟରେ ଆଫଗାନିସ୍ତାନ, ଶ୍ରୀଲଙ୍କା, ଆମେରିକା, ନେପାଳ ଓ ବାଂଲାଦେଶ ନାଗରିକ ରହିଛନ୍ତି। ମୋଟ ଉପରେ ୧,୧୫୨ ଆବେଦନ ପେଣ୍ଡିଂ ପଡ଼ିଛି। ଏଥିରେ ୪୨୮ ସରଣାର୍ଥୀ ରହିଛନ୍ତି। ତାଲିକାରେ ଆମେରିକା ଓ ଶ୍ରୀଲଙ୍କାରୁ ୨୨୩, ନେପାଳରୁ ୧୮୯ ଏବଂ ବାଂଲାଦେଶରୁ ୧୬୧ ଆବେଦନ ଆସିଛି। ପଡ଼ୋଶୀ ଚାଇନାରୁ ମଧ୍ୟ ୧୦ ଆବେଦନ ଆସିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share