ଜେନେଭା,୫ା୪: ଲିବ୍ୟାରୁ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ବୋଟ୍ ଭୂମଧ୍ୟସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯୬ ଜଣଙ୍କ ମୃତ୍ୟୁ ଘଟିଥିବା ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ ଫିଲିପୋ ଗ୍ରାଣ୍ଡି ସୂଚନା ଦେଇଛନ୍ତି। ସେଠାରେ ଫସିରହିଥିବା ମାତ୍ର ୪ ଜଣଙ୍କୁ ଏକ କମର୍ସିଆଲ ଟ୍ୟାଙ୍କର ଆଲେଗ୍ରିଆ-୧ ଉଦ୍ଧାର କରିଛି। ଡକ୍ଟର୍ସ ଓ୍ବିଦ୍ ଆଉଟ୍ ବର୍ଡର୍ସ ଚ୍ୟାରିଟି କହିବା ଅନୁସାରେ, ଡଙ୍ଗାରେ ଶତାଧିକ ଲୋକ ଯାତ୍ରା କରୁଥିଲେ। କ୍ଷମତାଠାରୁ ଅଧିକ ଯାତ୍ରୀ ବୋଟ୍ରେ ରହିଥିବାରୁ ତାହା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡଙ୍ଗା ବୁଡ଼ିବା ବାବଦରେ ଫିଲିପୋ ରବିବାର ଏକ ଟୁଇଟ କରିଥିଲେ। ୟୁକ୍ରେନ୍ର ପ୍ରାୟ ୪୦ ଲକ୍ଷ ଶରଣାର୍ଥୀଙ୍କୁ ୟୁରୋପ ଆଶ୍ରୟ ଦେଇଛି। ଅନ୍ୟ ପ୍ରବାସୀ ଓ ଶରଣାର୍ଥୀଙ୍କ କ୍ଷେତ୍ରରେ ତାହା କିପରି ଲାଗୁ ହୋଇପାରିବ ସେ ଉପରେ ମଧ୍ୟ ଚିନ୍ତା କରାଯିବା ଜରୁରୀ ବୋଲି ସେ କହିଛନ୍ତି। ଜାତିସଂଘ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ପୂର୍ବରୁ ଚଳିତ ବର୍ଷ ଭୂମଧ୍ୟ ସାଗରରେ ୩୬୭ ଶରଣାର୍ଥଙ୍କ ଜୀବନ ଯାଇଛି। ୨୦୨୧ରେ ଏହି ସଂଖ୍ୟା ୨,୦୪୮ ରହିଥିଲା।