୫ ଦିନରେ ୧.୫୬ କୋଟିରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

କଟକ ଅଫିସ, ୧୩।୪: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଓଡିଶା ପୋଲିସ ପକ୍ଷରୁ ରବିବାର ସ୍ପେଶାଲ ଡ୍ରାଇଭ କରାଯାଇ ୫ ଦିନ ମଧ୍ୟରେ ୧ .୫୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ପେଶାଲ ଡ୍ରାଇଭ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଡ୍ରାଇଭ୍‌ର ପଞ୍ଚମ ଦିନରେ ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବା ୧୨୬୧ ଜଣଙ୍କଠାରୁ ୧,୫୬,୯୦୦ ଟଙ୍କା ଓ ମାସ୍କ ପିନ୍ଧି ନ ଥିବା ୧୦, ୧୪୯ ଜଣଙ୍କଠାରୁ ୩୧, ୮୪, ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ତେବେ ଗତ ୫ ଦିନ ମଧ୍ୟରେ ୫୬,୨୬୫ ଜଣଙ୍କଠାରୁ ୧ କୋଟି ୫୮ ଲକ୍ଷ ୭୩ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ରାଜ୍ୟରେ କରୋନା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ରୋକ୍‌ ଲଗାଇବା ପାଇଁ ୧୩୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏହି ସ୍ବତନ୍ତ୍ର ଡ୍ରାଇଭରେ ପୋଲିସ ବିଭାଗର ବହୁ ଅଧିକାରୀ ସାମିଲ ହୋଇଥିବା ଡିଜି କାର୍ଯ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାୟକ ସୂଚନା ଦେଇଛନ୍ତି।

Share