ଯାଜପୁର ଅଫିସ,୨୦ା୧୨: ଯାଜପୁର ଜିଲାରେ ପଥରକ୍ବାରି ଓ କ୍ରଶର ସମେତ ବାଲି ଖାଦାନଗୁଡ଼ିକରୁ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ ହୋଇଛି। ବିଶେଷକରି ସୁକିନ୍ଦା ଅଞ୍ଚଳକୁ ଢେଙ୍କାନାଳ ଜିଲା ଭୁବନ ଏବଂ ଯାଜପୁର ଜିଲାର ଚଢ଼େଇଧରା ଅଞ୍ଚଳରୁ ଚିପ୍ସ, ମେଟାଲ, ବୋଲଡର ଓ ବାଲି ଓଭରଲୋଡିଂ ପରିବହନ ଯୋଗୁ ସଂପୃକ୍ତ ରାସ୍ତାଗୁଡ଼ିକ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି। ଜିଲାଗୁଡ଼ିକରେ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିଜେ ଦାୟିତ୍ୱ ନେଇ ଓଭରଲୋଡିଂ ଗାଡ଼ି ଚଳାଚଳକୁ ରୋକିବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହେଉ ନ ଥିବାରୁ ସଡ଼କ ସୁରକ୍ଷା ଆଇନ ଲକ୍ଷ୍ୟଚ୍ୟୁତ ହୋଇଛି।
ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରୁ ହାଇୱା, ଟ୍ରକ୍, ଟ୍ରାକ୍ଟରରେ ବେଆଇନ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଛି। ଦିନକୁ ୨ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ ଆଦି ମାଲ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିଲେ ହେଁ ରାଜସ୍ବ ଆଦାୟ ଅଶାନୁରୂପ ହୋଇ ପାରୁନାହିଁ। ବରଂ ମାସକୁ ବେଆଇନ ଭାବେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅସୁଲି କରାଯାଉଛି। ଫଳରେ ବର୍ଷକୁ ସରକାର ୧୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା କେବଳ ଓଭରଲୋଡିଂ ବାବଦକୁ ରାଜସ୍ବ ହରାଉଛନ୍ତି। ଏହି ବେଆଇନ କାର୍ଯ୍ୟରେ ରାଜ୍ୟ ପରିବହନ ବିଭାଗର କେତେଜଣ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ଥିବାରୁ ଆଞ୍ଚଳିକ ପରିବହନ ବିଭାଗକୁ ସୁହାଇଲା ଭଳି ବାର୍ଷିକ ରାଜସ୍ବ ଆଦାୟ ଲକ୍ଷ୍ୟଧାର୍ଯ୍ୟ ଦିଆଯାଉଛି। ଫଳରେ ବିଭାଗ ଅତି ସହଜରେ ଲକ୍ଷ୍ୟଧାର୍ଯ୍ୟ ହାସଲ କରି ବାହୁସ୍ଫୋଟ ମାରୁଥିବା ଅଭିଯୋଗ ହେଉଛି। କାଳିଆପାଣି ଅଞ୍ଚଳରେ ଥିବା ଇମ୍ଫା, ଟାଟା ଖଣି, ଓଏମ୍ସି, ଫେକର ଆଦି ଖଣିରେ ଭୂତଳରୁ ଖଣିଜ ସାମଗ୍ରୀ ଉତ୍ତୋଳନ ହେଉଛି। ତେଣୁ ଏହି ଭୂତଳ ଅଞ୍ଚଳରେ ପୋତିବାକୁ ପ୍ରାୟ ୧୦୦ ରୁ ୧୫୦ ଟ୍ରିପ୍ ବାଲିର ଆବଶ୍ୟକତା ପଡ଼ିଥାଏ। ତେଣୁ ଖଣି ଅଞ୍ଚଳକୁ ଆବଶ୍ୟକ ବାଲି ବ୍ରାହ୍ମଣୀ ନଦୀର ଭୁବନ, ମାର୍ଥାପୁର, କବାଟବନ୍ଧ ଆଦି ଅଞ୍ଚଳରୁ ପରିବହନ ହୋଇଥାଏ। ଏହାବାଦ ଚଢେଇଧରା ଅଞ୍ଚଳରୁ ଚିପ୍ସ, ମେଟାଲ ଆଦି ଖଣି ଅଞ୍ଚଳକୁ ଯାଇଥାଏ। ଚଢେଇଧରା ଓ ଭୁବନରୁ କାଳିଆପାଣି ଯାଉଥିବା ଗାଡ଼ିଗୁଡ଼ିକ ଢେଙ୍କାନାଳ ଓ ଚଣ୍ଡିଖୋଲ ଆରଟିଓ ଅଧୀନରେ ରହିଛି। ଏହି ରାସ୍ତାଗୁଡ଼ିକରେ କ୍ଷମତାରୁ ଅତ୍ୟଧିକ ପଥର ଓ ବାଲି ବୋଝେଇ ହେଉଥିବାରୁ ସାଧାରଣ ଲୋକଙ୍କ ପ୍ରତି ବିପଦ ଆଶଙ୍କା ରହୁଛି। କେବଳ ଟ୍ରକ୍ ଓ ଟ୍ରାକ୍ଟର ଉପରେ ବିଭାଗ ଦାଉ ସାଧୁଥିବାବେଳେ ଓଭରଲୋଡିଂ ହାଇୱା ଗାଡ଼ିଗୁଡ଼ିକୁ ପରିବହନ ବିଭାଗ ଆଦୌ ଧରୁନାହିଁ। ଓଭରଲୋଡିଂ ମାଲ ପରିବହନ ଯୋଗୁ ଅନେକ ରାସ୍ତା ଫାଟି ନଷ୍ଟ ହେଉଛି। ଏହି ଓଭରଲୋଡିଂ କାରବାରରେ ଖଣି କମ୍ପାନୀର କେତେଜଣ ଅଧିକାରୀଙ୍କ ସମ୍ପୃକ୍ତି ରହିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ କାଳିଆପାଣି ଅଞ୍ଚଳର ଲୋକେ ଢେଙ୍କାନାଳ ଓ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ ବୋଲି ପ୍ରକାଶ କରିଛନ୍ତି।