ନବରଙ୍ଗପୁର,୨୧।୧(ବି.ପ୍ର.): ରାଜ୍ୟ ବିଧାନସଭା ଷ୍ଟାଣ୍ଡିଂ ସବ୍ କମିଟି ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସ ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କମିଟି ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ଜିଲାରେ ଖୋଲାଯାଇଥିବା ମଣ୍ଡିରେ ଚାଷୀଙ୍କ ଧାନ ସଂଗ୍ରହ ପ୍ରକ୍ରିୟାର ଆନୁଷଙ୍ଗିକ ବ୍ୟବସ୍ଥା, ମଣ୍ଡିରେ ଚାଷୀଙ୍କ ପାଇଁ ଆବଶ୍ୟକ ସୁବିଧା, ନିୟନ୍ତ୍ରିତ ବଜାର କମିଟିର ଭିତ୍ତିଭୂମିର ବ୍ୟବସ୍ଥା ବିଷୟରେ ସମୀକ୍ଷା କରିଥିଲେ। ବିଶେଷକରି ଚାଷୀଙ୍କ ରହିଥିବା ସମସ୍ୟାର ସମାଧାନ କିପରି କରାଯାଇପାରିବ ସେ ସମ୍ପର୍କରେ ବୈଠକର ମତାମତକୁ ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ। ଏହି କମିଟିର ସଦସ୍ୟ ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଣ୍ଡି ବ୍ୟବସ୍ଥା ଓ ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦେକ୍ଷପ ନେବା ପାଇଁ ମତ ରଖିଥିଲେ। ନବରଙ୍ଗପୁର ଜିଲାପାଳ କମଳଲୋଚନ ମିଶ୍ର ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ ପ୍ରକ୍ରିୟାର ଆନୁଷଙ୍ଗିକ ବ୍ୟବସ୍ଥା, ନିୟନ୍ତ୍ରିତ ବଜାର କମିଟିର ଭିତ୍ତିଭୂମି ସମ୍ପର୍କରେ ଅବଗତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ପ୍ରଶାନ୍ତ ରାଉତ, ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଜୟପୁର ଡିଆର୍ସିଏସ୍ ସି.ଏଚ୍. ଭବାନୀ ପ୍ରସାଦ, ଏଆର୍ସିଏସ୍ ମୋନିକା ରାୟ, ଓଏସ୍ସିଏସ୍ସି ଜି.ଏମ୍. ଜୟଶ୍ରୀ ସେନାପତି ପ୍ରମୁଖ ଯୋଗଦେଇଥିଲେ। ବୈଠକ ପରେ କମିଟି କ୍ଷେତ୍ର ପରିଦର୍ଶନରେ ସାନମସିଗାଁ ଯାଇ ସେଠାରେ ଧାନମଣ୍ଡି, ହସ୍ତତନ୍ତ, ହ୍ୟାଣ୍ଡଲୁମ୍, ଟସର ବସ୍ତ୍ର ବୁଣିବା କାର୍ଯ୍ୟ ବୁଲି ଦେଖିଥିଲେ।