ଲାଞ୍ଚନେଇ ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିଅର ଗିରଫ

ସୋନପୁର,୪ା୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିଅର ସୁଧାଂଶୁ ଶେଖର ରଣା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ କାଦୋଦର ପଞ୍ଚାୟତ ବୀରସିଂହପୁର ଗ୍ରାମର ଫାର୍ମପଣ୍ଡ ହିତାଧିକାରୀ ରାମଚନ୍ଦ୍ର ମହାକୁରଙ୍କ ନିକଟରୁ ମଷ୍ଟର ରୋଲ ପ୍ରସ୍ତୁତି ପାଇଁ ଲାଞ୍ଚ ନେଉଥିଲେ। ସୁବର୍ଣ୍ଣପୁର ସହର ପଟାଭାଡି ଛକରେ ରଣା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ଏଥିସହ ଉଲୁଣ୍ଡାସ୍ଥିତ ଓଭରସିଅରଙ୍କ କାର୍ଯ୍ୟାଳୟ ଓ ବଲାଙ୍ଗୀର ସହର ରୁଗୁଡ଼ିପଡ଼ାସ୍ଥିତ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି। ସୁବର୍ଣ୍ଣପୁର ଓ ବରଗଡ଼ର ୨ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଏହା ସହ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ ୧୮/୨୪) ରୁଜୁ କରାଯାଇଛି। ଅଭିଯୁକ୍ତ ରଣାଙ୍କୁ ଶନିବାର ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି।
ସୂଚନାନୁସାରେ, ଉଲୁଣ୍ଡା ବ୍ଲକ୍‌ ବୀରସିଂହପୁର ଗ୍ରାମର ରାମଚନ୍ଦ୍ର ମହାକୁରଙ୍କୁ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥତ୍କ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏକ ଫାର୍ମପଣ୍ଡ ମଞ୍ଜୁର ହୋଇଥିଲା। ହିତାଧିକାରୀ ମହାକୁର ନିଜ ଜମିରେ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଫାର୍ମପଣ୍ଡ ଖୋଳିଥିଲେ। ଚୂଡାନ୍ତ ବିଲ୍‌ ପାଇବା ପାଇଁ ସେ ଓଭରସିଅର ରଣାଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ତେବେ ମଷ୍ଟରରୋଲ ପ୍ରସ୍ତୁତି ପାଇଁ ରଣା ୧୧ହଜାର ଟଙ୍କା ଦାବି କରିଥିଲେ। ଶୁକ୍ରବାର ମହାକୁର ଏ ସମ୍ପର୍କରେ ସୁବର୍ଣ୍ଣପୁର ଭିଜିଲାନ୍ସ ଅଫିସରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁସାରେ ମହାକୁର ସୁବର୍ଣ୍ଣପୁର ସହରକୁ ଆସି ଦାବି ଅନୁଯାୟୀ ଓଭରସିଅର ରଣାଙ୍କୁ ରାସାୟନିକ ରଙ୍ଗବୋଳା ୧୧ହଜାର ଟଙ୍କା ପ୍ରଦାନ କରିଥିଲେ। ରଣା ଉକ୍ତ ଟଙ୍କା ଗ୍ରହଣ କରିବା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ତାଙ୍କ ନିକଟରୁ ୨୨ଟି ୫୦୦ଟଙ୍କିଆ ନୋଟ୍‌ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଜବତ କରାଯାଇଛି। ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି ରୀତାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେ ବରଗଡ ଭିଜିଲାନ୍ସ ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଏହି ଚଢ଼ାଉ ଜାରି ରହିଥିତ୍ତ୍ବାରୁ ପ୍ରକୃତ ସୂଚନା ମିଳିପାରିନି। ରଣା ଗତ ୨୦୨୨ ମେ ୧ ତାରିଖଠାରୁ ସୁବର୍ଣ୍ଣପୁର ଜିଲାରେ ଅବସ୍ଥାପିତ ଅଛନ୍ତି। ସେ କିଛି ମାସ ଧରି ଉଲୁଣ୍ଡା ବ୍ଲକର ଭାରପ୍ରାପ୍ତ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଭାବେ ଦାୟିତ୍ୱରେ ଥିଲେ।

Share