ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ: ବାଟରେ ଓଲଟିଲା ଅଟୋ

କୋକସରା,୧୪।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କାଉଡୋଳା ଲଡୁଗାଁ-କୁସୁମଖୁଣ୍ଟି ରାସ୍ତାର ବୁଲାଣିରେ ସୋମବାର ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୭ଜଣ ମହିଳା, ପୁରୁଷଙ୍କ ସହ ୨ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଡିଛି।

ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲା କୋକସରା ବ୍ଲକ ଧୋବେନପଡା ଗାଁର ୭ଜଣ ମହିଳା ପୁରୁଷଙ୍କ ସହ ୨ ଶିଶୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଜୟପାଟଣା ବ୍ଲକ ଧନସୁଲି ଗାଁକୁ ଯାଉଥିଲେ। ସେତିିକିବେଳେ କାଉଡୋଳା ଲଡୁଗାଁ ରାସ୍ତାର କୁସୁମଖୁଣ୍ଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା। ଏଥିରେ ୯ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଏନେଇ ସ୍ଥାନୀୟ କେତେକ ଯୁବକ ପୋଲିସ ଏବଂ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚ ି ସ୍ଥାନୀୟ ଯୁବକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଅନ୍ୟ ଏକ ଅଟୋରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତରମାନେ ହେଲେ କୋକସରା ବ୍ଲକ ଧୋବେନପଡ଼ା ଓ ନବରଙ୍ଗପୁର ଜିଲା ମୈଦଲପୁର ଗ୍ରାମର ଶତ୍ରୁଘ୍ନ ପାଳପୁରିଆ (୭୫), ଅନିରୁଦ୍ଧ ପାଳପୁରିଆ (୭୦) ଓ ସୋମନାଥ ନାଏକ (୪୫) ବୋଲି ଜଣାପଡିଛି। ଆହତମାନେ ହେଲେ ଆଲ୍ଲାଦିନି ସୁରପାଳ(୫୦), ଅହଲ୍ୟା ମାଝୀ(୩୦), ଗାୟିତ୍ରୀ ବାଗ(୫୦), ସୂର୍ଯ୍ୟ ବାଗ(୬୦), ଆଶିଷ ମାଝୀ(୩) ଓ ରୁଦ୍ର ମାଝୀ(୨)।

ଆମପାଣି ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷେ ଶତ୍ରୁଘ୍ନ ପାଳପୁରିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁର୍ଘଟଣା ପରେ ଅଟୋକୁ ଧରି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି। ଆମପାଣି ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ, ଏଏସଆଇ ଅକ୍ଷୟ ଜାଲ ଘଟଣାସ୍ଥଳରେ ପହଞ୍ଚି କରିଥିଲେ।