ସମୁଦ୍ରରେ ଓଲଟିଲା ଡଙ୍ଗା: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଗୋପାଳପୁର,୩୦।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ସମୁଦ୍ରରେ ଶନିବାର ଭୋରରେ ଏକ ଅଘଟଣ ଘଟିଛି l ଏକ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଅଳ୍ପକେ ବଞ୍ଚି ଯାଇଛନ୍ତି। ମୃତକ ହେଲେ ଗୋପାଳପୁର ଅଞ୍ଚଳର ବି. ବୈରାଗି(୬୩)।

ମିଳିଥିବା ସୂଚନା ମୁତାବକ, ଶନିବାର ଭୋରରେ ଗୋପାଳପୁର ଏନ୍‌ଏସିର ବି ବୈରାଗୀ, ଏମ୍‌. ସୀମାଦ୍ରୀ ଓ ଡ଼ି କାଲେୟା ଏକ ଡ଼ଙ୍ଗାରେ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯାଉଥିଲେ। ସେତିବିବେଳେ ଏକ ବଡ଼ ଲହଡି ଆସିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।  ସୀମାଦ୍ରୀ ଓ କଲେୟା ଡେଇଁ ପଡିଥିବା ବେଳେ ବୈରାଗୀଙ୍କ ଛାତି ଉପରେ ଡ଼ଙ୍ଗା ପଡିଯାଇଥିଲା। ଫଳରେ ସେ ଆଉ ବାହାରି ପାରି ନ ଥିଲେ l ସ୍ଥାନୀୟ ଲୋକ ଖବର ପାଇଁ ତିନି ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୈରାଗୀଙ୍କୁ ମୃତ ଘୋଷଣା କରିଥିଲେ l ସୀମାଦ୍ରୀ ଓ କାଲେୟାଙ୍କ ଚିକିତ୍ସା ଚାଲିଛି। ଏ ନେଇ ଗୋପାଳପୁର ଥାନାରେ ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୩୧/୨୩) ରୁଜୁ କରିଛି। ଅନ୍ୟପକ୍ଷେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share