ଓଲଟିଲା କାର୍‌, ଟ୍ରକ୍‌ ସହ ପିଟିହେଲା ବସ୍‌

କେନ୍ଦୁଝର,୩ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ମୁଖ୍ୟ ବଜାର ନିକଟରେ ଭାରସାମ୍ୟ ହରାଇ (ଓଡି-୧୪-ଡବ୍ଲୁ-୪୪୪୫) ନମ୍ବର ବିଶିଷ୍ଟ ଏକ କାର୍‌ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ଚାଳକ ସମେତ ୪ଜଣ ବର୍ତ୍ତି ଯାଇଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଭୁବନେଶ୍ବରରୁ ବଡ଼ବିଲ ଭଦ୍ରାସାହି ଟେନ୍‌ସାକୁ ଅଭେଦାନନ୍ଦ ଦାସ ପରିବାର ସହିତ ଯାଉଥିଲେ। ସାରେ ପଦ୍ମପୁର ବାମବାର୍ଶ୍ୱ ଏକ ଜଳଖିଆ ଦୋକାନ ନିକଟରେ ବସ୍‌ଟି ଯାତ୍ରୀଙ୍କୁ ଓହ୍ଲାଉଥିଲା। ସେତେବେଳେ ଦ୍ରୁତଗତିରେ କାର୍‌ଟି ଆସୁଥିବା ବେଳେ ହଠାତ୍‌ ଡାହାଣକୁ ଓଭର ଟେକ୍‌ କରି ଯାଉଥିବା ବେଳେ ସମାନ ଦିଗରେ ଯାଉଥିବା ଧକ୍କା ଦେବାରୁ ଗାଡ଼ି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ପରେ ଓଲଟି ପଡ଼ଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ହେବା ସହ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ଥାନାକୁ ଆଣି ତଦନ୍ତ ଚଳାଇଛି।

ସେହିପରି ପଳାଶପଙ୍ଗା ଓଭରବ୍ରିଜ୍‌ ଉପରେ ଆଜି ବ୍ରେକ୍‌ ଡାଉନ୍‌ ହୋଇ ଛିଡ଼ା ହୋଇଥିବା ହାଇଓ୍ବା ପଛରେ ମା’ ନାମକ ବସ୍‌ ଧକ୍କା ହୋଇଛି। ଫଳରେ ଗାଡ଼ିର ସାମ୍ନା ଭାଗ ଭାଙ୍ଗିରୁଜି ଯାଇଥିବା ବେଳେ ଗାଡ଼ି ଭିତରେ ଥିବା ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଭୁବନେଶ୍ବରରୁ ବଲାଣୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପଳାଶପଙ୍ଗା ବିଟ୍‌ ଅଧିକାରୀ ମାନସ ରଞ୍ଜନ ପଣ୍ତା ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ସଡ଼କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ଶୂନ ମୃତହନ୍ତା ସଡ଼କ ସୁରକ୍ଷା ସପ୍ତାହ ପାଳନ କରୁଥିଲେ ହେଁ ଦୁର୍ଘଟଣା କମିବାର ନାଁ ଧରୁନାହିଁ। ଏନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲା ପୋଲିସ ପ୍ରଶାସନ ଗାଡ଼ି ଚାଳନା ଉପରେ କଡ଼ାକଡ଼ି ଯାଞ୍ଚ କରିବାକୁ ଦାବି ଦେଉଛି।

Share