ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ

ବାରିପଦା ଅଫିସ/ଚିତ୍ରଡ଼ା,୨୨ା୧୦(ଡି.ଏନ.ଏ.): କରୋନା କଟକଣା ନ ମାନି ଯାତ୍ରା ପରିବେଷଣ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ ‘ଧର୍ତ୍ତୀ ସିର୍ଜନ’ ନାମକ ଏକ ଆଦିବାସୀ ଯାତ୍ରା ପାର୍ଟିର ମାଲିକଙ୍କୁ ଗିରଫ କରିବା ସହ ୬ ଆୟୋଜକଙ୍କ ନାମରେ ମାମଲା ରୁଜୁ କରିଛି। ଯାତ୍ରା ପାର୍ଟିର ସରଞ୍ଜାମ ବୋଝେଇ ଏକ ଟ୍ରକ୍‌ ମଧ୍ୟ ଜବତ ହୋଇଛି । ଗିରଫ ମାଲିକ ହେଲେ କରଞ୍ଜିଆ ଥାନା ଅଧୀନ ଖଡ଼ିକୁଦର ଗ୍ରାମର କରନ ମୁର୍ମୁ।

ମୋରଡା ଥାନା ଅଧୀନ ଖୁଣ୍ଟାପାଳ ଗ୍ରାମରେ ବୁଧବାର ରାତିରେ ବେଆଇନ ଭାବେ ଏକ ଆଦିବାସୀ ଯାତ୍ରା ଚାଲିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରା ପରିବେଷଣ ବନ୍ଦ ପାଇଁ କହିଥିଲା। ତେବେ କମିଟିର କର୍ମକର୍ତ୍ତା ଓ ଯାତ୍ରା ପାର୍ଟିର ମାଲିକ ପୋଲିସ କଥା ନ ଶୁଣି ଯୁକ୍ତିତର୍କ କରିଥିଲେ। ଅଧାରୁ ଯାତ୍ରା ବନ୍ଦ ହେବା ଶୁଣି ଦର୍ଶକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଯାତ୍ରାପାର୍ଟି ମାଲିକଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୬ ଆୟୋଜକଙ୍କ ସମେତ ଅନ୍ୟମାନଙ୍କ ନାମରେ ମାମଲା (ନଂ.୨୩୦/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ କହିଛନ୍ତି।

Share