ଅକ୍ସଫୋର୍ଡ଼ ଟିକା ପରୀକ୍ଷଣ ଭାରତରେ ବନ୍ଦ: ସିରମ୍‌ ଇନଷ୍ଟିଚ୍ୟୁଟ୍‌ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ, ୧୦।୯: ଭାରତରେ ଏଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାର ମାନବ ପରୀକ୍ଷଣକୁ ବନ୍ଦ କରି ଦିଆଯାଇଛି। ପୁଣେ ସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୁରକ୍ଷା କାରଣରୁ ଏଭଳି କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ପରୀକ୍ଷଣ ବନ୍ଦ ରହିବ ବୋଲି ସିରମ୍‌ ଇନଷ୍ଟଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି। ଭାରତର ୧୭ଟି ସ୍ଥାନରେ ଏହି ଟିକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଥିଲା। ତେବେ କେତେକ ସମସ୍ୟା ଯୋଗୁ ଏହା ଉପରେ ରୋକ ଲଗାଯାଇଛି। ଏହି ଟିକାର ପ୍ରାଥମିକ ପରୀକ୍ଷଣ ବେଶ୍‌ ଉତ୍ସାହ ଜନକ ଥିଲା। ମାତ୍ର ପରିବର୍ତ୍ତୀ ସମୟରେ ପ୍ରୟୋଗ କରାଯାଉଥିବା ବ୍ୟକ୍ତିଙ୍କଠାରେ ଅଜଣା ରୋଗ ସୃଷ୍ଟି ହେଉଥିବା ଦେଖାଯାଇଥିଲା। ଏଭଳି ରିପୋର୍ଟ ମିଳିବା ପରେ ସିରମ୍‌ ଇନଷ୍ଟଚ୍ୟୁଟ୍‌ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତରେ କୌଣସି ବ୍ୟକ୍ତିଙ୍କଠାରେ ଏଭଳି ସମସ୍ୟା ଦେଖାଯାଇ ନାହିଁ। ଟିକା ପରୀକ୍ଷଣରେ ବେଳେ ବେଳେ ଏଭଳି ସ୍ଥିତି ଆସିଥାଏ ବୋଲି ଏମ୍ସ୍‌ର ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି। ପରୀକ୍ଷଣ ସମୟରେ ସମ୍ପୃକ୍ତ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଲେ କିମ୍ବା ତାଙ୍କର ମୃତ୍ୟୁ ଘଟିଲେ ପରୀକ୍ଷଣକୁ ଅଧାରେ ବନ୍ଦ କରାଯିବା ସ୍ବାଭାବିକ। ଏପରି କରି ଯାଞ୍ଚ୍‌କର୍ତ୍ତା ନୈତିକ ମାନଦଣ୍ଡର ପାଳନ କରୁଥିବା ଏମ୍ସ୍‌ ପକ୍ଷରୁ କୁହାଯାଇଛି।

Share