Categories: ଜାତୀୟ

ନା ଅକ୍ସିଜେନ୍‌-ନା ଆମ୍ବୁଲାନ୍ସ: ଭୋ ଭୋ ହୋଇ କାନ୍ଦି ଝିଅର ମୃତଦେହକୁ ବାଇକ୍‌ରେ ବୋହିନେଲେ ବାପା

ଫିରୋଜାବାଦ,୨୭।୪: କରୋନା ମହାମାରୀକୁ ନେଇ ପ୍ରତିଦିନ ଯେଭଳି ଦୃଶ୍ୟ ବା ଘଟଣା ସାମ୍ନାକୁ ଆସୁଛି ତାହାକୁ ଦେଖି ଲୋକେ ସ୍ତବ୍ଧ ହୋଇଯାଉଛନ୍ତି। କରୋନା ସଙ୍କଟ ସହିତ ଅକ୍ସିଜେନ ଅଭାବର ଭୟାବହସ୍ଥିତି ଛାତି ଥରାଇ ଦେଉଛି। ନିକଟରେ ଉତ୍ତରପ୍ରଦେଶର ଫିରୋଜାବାଦ ସହରରୁ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଝିଅର ମୃତଦେହକୁ ବାଇକ୍‌ରେ ବୋହି ନେଉଛନ୍ତି ବାପା। ଏହି ହୃଦୟ ବିଦାରକ ଦୃଶ୍ୟ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ୟୁପିର ଫିରୋଜାବାଦରେ ଜଣେ ୧୯ ବର୍ଷର ଯୁବତୀ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କ ବାପା ଗୁରୁତର ଅବସ୍ଥାରେ ତାଙ୍କୁ ଏକ ବାଇକ୍‌ରେ ବସାଇ ସରକାରୀ ଟ୍ରମା କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଅମ୍ଳଜାନ ନଥିବାରୁ ଯୁବତୀଙ୍କୁ ଭର୍ତ୍ତି କରାଯାଇ ନ ଥିଲା। କିନ୍ତୁ ଡାକ୍ତରମାନେ ପ୍ରାଥମିକ ଭାବେ ଯୁବତୀକୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ସେ ପର୍ଯ୍ୟନ୍ତ ଯୁବତୀଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇ ନ ଥିଲା। ଏହାପରେ ବାପା କାନ୍ଦି କାନ୍ଦି କହିଥିଲେ ଯେ ଏଠାରେ ଚିକିତ୍ସା ଉପଲବ୍ଧ ନାହିଁ ଏବଂ ଅମ୍ଳଜାନ ନାହିଁ। ଆମ୍ବୁଲାନ୍ସ ମଧ୍ୟ ମିଳୁନାହିଁ । ମୋ ଝିଅ ଜୀବନ ଚାଲିଗଲା ବୋଲି ସେ କହିଛନ୍ତି। ଫିରୋଜାବାଦରେ ସରକାରୀ ସ୍ବାସ୍ଥ୍ୟ ସେବା ଏବେ ସହରର ଏକମାତ୍ର ଟ୍ରମା କେନ୍ଦ୍ର ଅଟେ,ଯେଉଁଠାରେ ଅବସ୍ଥା ଏବେ ଆଗ ଅପେକ୍ଷା ଅତ୍ୟନ୍ତ ଖରାପ। ନିୟମ ଅନୁଯାୟୀ ମୃତଦେହକୁ ଆମ୍ବୁଲାନ୍ସ କିମ୍ବା ସରକାରୀ ଗାଡି ଦ୍ୱାରା ପଠାଯାଇଥାଏ। କିନ୍ତୁ ସରକାରୀ ଟ୍ରମା କେନ୍ଦ୍ରରେ ସେପରି କୌଣସି ବ୍ୟବସ୍ଥା ନ ଥିଲା। ଫଳରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଝିଅର ମୃତଦେହ ବାଇକ୍‌ରେ ବୋହି ନେବାକୁ ପଡିଥିଲା।

Share