Categories: ଜାତୀୟ

କାନ୍ଧରେ ଅକ୍ସିଜେନ ସିଲିଣ୍ଡର, ଟ୍ରେରେ ନବଜାତ ଶିଶୁକୁ ଧରି ହସ୍ପିଟାଲରେ ବୁଲିରେ ଦମ୍ପତ୍ତି

ବକ୍ସର, ୨୬।୭: ବିହାରର ବକ୍ସର ଜିଲା ସଦର ହସ୍ପିଟାଲରେ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରିଥିବାବେଳେ ତାଙ୍କ ସ୍ତ୍ରୀ ଗୋଟିଏ ଟ୍ରେ’ରେ ନବଜାତ ଶିଶୁକୁ ଧରି ଚିକିତ୍ସା ପାଇଁ ହସ୍ପିଟାଲରେ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି। ତେବେ ଶେଷରେ ଦମ୍ପତ୍ତି ଦୁଇଜଣ ତାଙ୍କ ନବଜାତ ସନ୍ତାନର ଜୀବନ ରକ୍ଷା କରିବାରେ ବିଫଳ ହୋଇଥିବା ଜଣାପଡ଼ିଛି।
ଜଣାପଡ଼ିଛି ରାଜପୁର ଥାନା ଅନ୍ତର୍ଗତ ସଖୁଆନା ଗ୍ରାମର ସୁମନ କୁମାରଙ୍କ ସ୍ତ୍ରୀଙ୍କ ପ୍ରସୁତି ବେଦନା ହେବାରୁ ପରିବାର ଲୋକ ତାଙ୍କୁ ଚୌସା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ସେଠାରୁ ତାଙ୍କୁ ସଦର ହସ୍ପିଟାଲକୁ ରେଫର୍‌ କରାଯାଇଥିଲା। କିନ୍ତୁ ମହିଳାଙ୍କ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଦେଇଥିଲେ। ଯେଉଁଠାରେ କି ମହିଳାଙ୍କ ଅପରେସନ କରାଯାଇ ପ୍ରସବ କରାଯାଇଥିଲା। ପ୍ରସବ ପରେ ନବଜାତ ଶିଶୁର ଗମ୍ଭୀର ଅବସ୍ଥା ଦେଖି କ୍ଲିନିକ କର୍ତ୍ତୃପକ୍ଷ ତାଙ୍କୁ ସଦର ହସ୍ପିଟାଲକୁ ରେଫର୍‌ କରିଥିଲେ। କିନ୍ତୁ କ୍ଲିନିକ୍‌ ପକ୍ଷରୁ ନବଜାତ ଶିଶୁ ଦେହରେ ଅକ୍ସିଜେନ ଲଗାଇ ରେଫର୍‌ କରାଯାଇଥିଲା। ପରେ ମହିଳାଙ୍କ ସ୍ବାମୀ ସିଲିଣ୍ଡରକୁ କାନ୍ଧେଇ ଥିବାବେଳେ ମହିଳା ଜଣଙ୍କ ଏକ ଟ୍ରେ’ରେ ଶିଶୁକୁ ଧରି ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ଏଣେତେଣେ ବୁଲିଥିଲେ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଘରୋଇ କ୍ଲିନିକ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକ ଥାନରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Share