ଅକ୍ସିଜେନ୍‌, ଔଷଧ କଳାବଜାର ରୋକ

ଭୁବନେଶ୍ୱର,୨୦।୫(ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଁ ଅତି ଜରୁରୀ ହୋଇଥିବା ମେଡିକାଲ ଅକ୍ସିଜେନ ଓ ଔଷଧ କଳାବଜାର ହେଉଛି। ଏନେଇ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି) କ୍ଷୁବ୍ଧ ହୋଇଛନ୍ତି। ନିଜ ଆଡୁ ରୁଜୁ ହୋଇଥିବା ମାମଲାର ବିଚାର ପରି ଆୟୋଗ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବଙ୍କୁ ଜବାବ ତଲବ କରିଛନ୍ତି। ଏଥିସହ ଜୀବନ ରକ୍ଷାକାରୀ ଅକ୍ସିଜେନ ଓ କରୋନା ଔଷଧର କଳାବଜାର ରୋକିବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗ, ପୋଲିସ ଡିଜି ଓ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କଳାବଜାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ସେହିପରି କୋଭିଡ୍‌ ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହେଉଥିବାରୁ ତୁରନ୍ତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି) ଖୋଲିବାକୁ ଆୟୋଗ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି। ମୃତଦେହର ଅନ୍ତିମ ସଂସ୍କାର ନେଇ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଜାରି କରିଥିବା ପରାମର୍ଶକୁ ପାଳନ କରିବାକୁ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାର ଘରୋଇ ଆମ୍ବୁଲାନ୍ସର ଭଡା ଧାର୍ଯ୍ୟ କରିଥିବାରୁ ଆୟୋଗ ପ୍ରଶଂସା କରିବା ସହ ଅଧିକ ଦର ଦାବି କରୁଥିବା ଗାଡ଼ି ମାଲିକଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିିଛନ୍ତି। ସେହିପରି କଟକ ଓ ଭୁବନେଶ୍ୱରରେ ଜରୁରୀ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ ଅକ୍ସିଜେନ ଓ ଖାଦ୍ୟ ବଣ୍ଟନ କରୁଥିବା ବ୍ୟକ୍ତି ବା ସଂସ୍ଥାର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଦାତବ୍ୟ କାର୍ଯ୍ୟ ଅନ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି ଆୟୋଗ କହିଛନ୍ତି। ଆସନ୍ତା ଜୁନ୍‌ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚିକିତ୍ସା କ୍ଷେତ୍ର ପାଇଁ ଅକ୍ସିଜେନ୍‌ ଉତ୍ପାଦନ, ଗଚ୍ଛିତ ଓ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୯ ଜଣିଆ ରାଜ୍ୟସ୍ତରୀୟ ଟାସ୍କଫୋର୍ସରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ପୂର୍ତ୍ତ ବିଭାଗର ସଚିବ, ଓଡ଼ିଶା ମେଡିକାଲ ନିଗମର ପରିଚାଳନା ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ଡ୍ରଗ୍ସ ନିୟନ୍ତ୍ରକ, ଫିକ୍କି ପ୍ରତିନିଧି ଓ ଉତ୍କଳ ଚାମ୍ବର୍ସ ଅଫ୍‌ କମର୍ସ (ୟୁସିସିଆଇ)ର ପ୍ରତିନିଧିଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଏହି ଟାସ୍କଫୋର୍ସର ସଦସ୍ୟ ଆବାହକ ଭାବେ ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ ତୁଲାଇବେ।

Share