Categories: ଜାତୀୟ

ଗର୍ଭବତୀ ଭଉଣୀଙ୍କ ମୁଣ୍ଡ କାଟିଦେଲେ…

ମୁମ୍ବାଇ,୬।୧୨: ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଭିଣୋଇଙ୍କ ଉପସ୍ଥିତିରେ ଗର୍ଭବତୀ ଭଉଣୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଭାଇ। ଏପରିକି ଭାଇ ଭଉଣୀର କଟା ମୁଣ୍ଡ ଧରି ସେଲ୍ଫି ଉଠାଇଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୋଲିସ ସୂଚନା ମୁତାବକ, ଔରଙ୍ଗାବାଦର କିର୍ତ୍ତୀ ଥୋରେ ନାମକ ଜଣେ ଯୁବତୀ ଜୁନରେ ଘରୁ ଚାଲିଯାଇ ପ୍ରେମ ବିବାହ କରିଥିଲେ। ଏହି ବିବାହରେ ସାନ ଭାଇ ଏବଂ ମା’ ରାଜି ନ ଥିଲେ। ହେଲେ ଗତ ସପ୍ତାହରେ ଝିଅ ଘରକୁ ଆସିଥିଲେ ମା’ ଶୋଭା। ଝିଅକୁ ଦେଖାସାକ୍ଷାତ କରି ସେ ଫେରି ଯାଇଥିଲେ। ରବିବାର କିର୍ତ୍ତୀଙ୍କ ପାଖକୁ ମା’ ଶୋଭା ଏବଂ ସାନ ଭାଇ ପୁଣି ଆସିଥିଲେ। ହେଲେ କିର୍ତ୍ତୀ ଏବଂ ଶାଶୁ, ଶ୍ୱଶୁର ଚାଷ ଜମିକୁ କାମ କରିବାକୁ ଯାଇଥିଲେ।

ମା’ ଓ ଭାଇ ଘରକୁ ଆସିଥିବା ଜାଣି କିର୍ତ୍ତୀ କାମ ଛାଡି ଘରକୁ ଆସିଥିଲେ। ମା-ଭାଇଙ୍କ ପାଇଁ ସେ ଚା ତିଆରି କରିବାକୁ ରୋଷେଇ ଘରକୁ ଯାଇଥିଲେ। ସେତିକିବେଳେ ରୋଷେଇ ଘରେ ପଛପଟୁ ମା’ ଝିଅ କିର୍ତ୍ତୀଙ୍କ ଗୋଡକୁ ଜାବୁଡି ଧରିଥିବା ବେଳେ ଭାଇ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ କାଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ କିର୍ତ୍ତୀଙ୍କ ମୃତ୍ୟୁ ଘଟିଥିଲା। ପରେ ଅଭିଯୁକ୍ତ ଭାଇ ଭଉଣୀର କଟା ମୁଣ୍ଡକୁ ଧରି ସେଲ୍ଫି ଉଠାଇଥିଲେ। ସେ ଥାନାକୁ ଆସି ଭଉଣୀଙ୍କୁ ହତ୍ୟା କରିଥିବା କହି ଆତ୍ମସପର୍ମଣ କରିଥିଲେ। ଔରଙ୍ଗବାଦ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଭାଇ ଓ ମା’ଙ୍କୁ ଗିରଫ କରିଛି।

Share