ନୂଆଦିଲ୍ଲୀ,୨୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୩୦ ଅର୍ଥାତ୍ ଗୁରୁବାର ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନୂତନ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ସମ୍ବୋଧିତ କରିବେ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ରୋଜଗାର ମେଳା ମାଧ୍ୟମରେ ଅନେକ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେଇସାରିଛନ୍ତି।
ଏହି ନିଯୁକ୍ତି ମେଳା ଦେଶର ୩୭ଟି ସ୍ଥାନରେ ଆୟୋଜିତ ହେବ। କେନ୍ଦ୍ର ସରକାରଙ୍କ ବିଭାଗ ସହିତ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ନୂତନ ଭାବେ ମନୋନୀତ କର୍ମଚାରୀମାନେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ରାଜସ୍ବ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସମେତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦାନ କରିବେ। ଏହି ନୂତନ ନିଯୁକ୍ତମାନଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗକୁ ମଧ୍ୟ ପଠାଯିବ।