ପଦୋନ୍ନତି, ଦରମା ବୃଦ୍ଧି ନେଇ କଳାବ୍ୟାଜ୍‌ ପିନ୍ଧି ପିଇଓଙ୍କ ଧାରଣା

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସମ୍ମୁଖରେ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କଳାବ୍ୟାଜ୍‌ ପିନ୍ଧି ସୋମବାର ଧାରଣା ଦେଇଥିଲେ । ଆସନ୍ତା ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ ତାରିଖରୁ ସାମୁହିକ ଛୁଟିରେ ଯିବାକୁ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଏପରିକି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଂଘ ମଧ୍ୟ ପଦୋନ୍ନତି ଓ ଦରମା ବୃଦ୍ଧି ଦାବି କରିଛନ୍ତି। ନିଯୁକ୍ତିରେ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇରୁ ଯୁକ୍ତ ତିନି ବାଧ୍ୟତାମୂଳକ କରିବାକୁ ଦାବି କରିବା ସହ ଦରମା ୨୧ହଜାର ୭୦୦ରୁ ୩୫ ହଜାର ୪୦ କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି। ୧୦ବର୍ଷ ଚାକିରି ପୂରଣ କରିଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ବତନ୍ତ୍ର ପଦବୀକୁ ପ୍ରମୋଶନ ଦେବାସହ ଦରମା ବୃଦ୍ଧି କରିବା ଏବଂ ଜିପିଡିଓ ପଦୀକୁ ଶତ ପ୍ରତିଶତ ପଦୋନ୍ନତିର ସୁବ୍ୟବସ୍ଥା କରିବା, ଓପିଆରଏସ୍‌ କ୍ୟାଡ଼ରରେ ନିର୍ବାହୀ ଅଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରିଛନ୍ତି। ଏନେଇ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ନିର୍ଦ୍ଦେଶ କ୍ରମେ ଜିଲା ପିଇଓ ସଂଘ ପକ୍ଷରୁ କେସିଙ୍ଗା ବିଡ଼ିଓ ଓ ଜିଲାପାଳଙ୍କ ନିକଟରେ ଗତ ଶନିବାର ୪ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସୋମବାର କେସିଙ୍ଗା ବ୍ଲକ ସମ୍ମୁଖରେ କଳାବ୍ୟାଜ୍‌ ପିନ୍ଧି ଧାରଣ ଦେଇଥିଲେ।