ଆଉନାହାନ୍ତି ବଲିଉଡ୍‌ର ଲୋକପ୍ରିୟ ଲେଖକ ସଞ୍ଜୟ ଚୌହାନ

‘ପାନ ସିଂ ତୋମାର’ ପରି ଅନେକ ଫିଲ୍ମର ପ୍ରସିଦ୍ଧ ଲେଖକ ସଞ୍ଜୟ ଚୌହାନଙ୍କ ପରଲୋକ ଘଟିଛି। ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସେ ଯକୃତ ରୋଗରେ ପୀଡିତ ଥିଲେ। ସେ ନିଜ କ୍ୟାରିୟରରେ ବହୁତ ଫିଲ୍ମର କାହାଣୀ ଲେଖିଥିଲେ ଏବଂ ପ୍ରଶଂସା ମଧ୍ୟ ସାଉଁଟି ଥିଲେ। ‘ପାନ ସିଂ ତୋମାର’ ବ୍ୟତୀତ ସଞ୍ଜୟ ‘ଆଇ ଆମ୍‌ କଲାମ’, ‘ସାହେବ ବିୱି ଗ୍ୟାଙ୍ଗଷ୍ଟର’ ଭଳି ସୁପରହିଟ୍‌ ଫିଲ୍ମର କାହାଣୀ ସେ ଲେଖିଥିଲେ। ଫିଲ୍ମ ଆଇ ଆମ କଲାମ (୨୦୧୧) ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।
ସଞ୍ଜୟ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭାରତୀୟ ରେଳବାଇରେ କାର୍ଯ୍ୟ କରୁଥିବାବେଳେ ମା’ ଜଣେ ସ୍କୁଲ ଶିକ୍ଷକ ଥିଲେ। ସଞ୍ଜୟ ଦିଲ୍ଲୀରେ ସାମ୍ବାଦିକ ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ୧୯୯୦ ଦଶକରେ ସୋନି ଟେଲିଭିଜନ ପାଇଁ ଅପରାଧ ଭିତ୍ତିକ ଟିଭି ଧାରାବାହିକ ‘ଭାନୱାର’ କାହାଣୀ ଲେଖିବା ପରେ ମୁମ୍ବାଇ ଯାଇଥିଲେ।

Share