ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ନିର୍ଣ୍ଣାୟକ ମୁକାବିଲା ୭ଜାନୁୟାରୀ, ଶନିବାର ରାଜକୋଟରେ ଖେଳାଯିବ। ସିରିଜରେ ଉଭୟ ଦଳର ସ୍ଥିତି ୧-୧ ଥିବାରୁ ଏହି ମ୍ୟାଚ୍ କର ଅଥବା ମର ମ୍ୟାଚ୍ ହେବାକୁ ଯାଉଛି। ଯେଉଁ ଟିମ୍ ଏହି ମ୍ୟାଚ୍ ଜିତିବ ସେ ସିରିଜ ବିଜେତା ହେବ। ତେବେ ଏହି ମ୍ୟାଚ୍ରେ ଦ୍ରୁତ ବୋଲର ଅର୍ଶଦୀପ ସିଂହ ବାଦ୍ ପଡ଼ିପାରନ୍ତି। କାରଣ ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ସେ ନୈରାଶ୍ୟଜନକ ବୋଲିଂ କରିଥିଲେ। ମୋଟ ୫ ନୋ-ବଲ ଦେଇ ସେ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ଏହାର ଫଳସ୍ବରୂପ ଦଳ ମ୍ୟାଚ୍ରେ ପରାଜିତ ହୋଇଥିଲା।
କହିରଖୁଛୁ, ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ଭାରତ ପକ୍ଷରୁ ୨୨ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିଛନ୍ତି। ଏହି ସମୟରେ ସେ ୧୪ଇର ନୋ-ବଲ ପକାଇଛନ୍ତି। ଏହି ସମସ୍ୟାକୁ ନେଇ ଭାରତୀୟ ଟିମ୍ର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚିନ୍ତା ପ୍ରକଟ କରିଥିଲେ। ଯେଉଁଥିରୁ ଅର୍ଶଦୀପଙ୍କ ଲାଗି ସ୍ଥିତି ବହୁତ କଷ୍ଟକର ହେବାକୁ ଯାଉଥିବା ଅନୁମାନ କରାଯାଉଛି।