ପାଣି ଘେରରେ ପାଚଲପୁର

ପିପିଲି,୭।୮(ପ୍ରଭାତ ମହାପାତ୍ର): ଦୟାନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେବା ପରେ ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗଁା ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି। ଫଳରେ ତାହା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଦୁଇ ଦିନ ହେବ ପ୍ରଶାସନ ଏଥିପାଇଁ ଏକ ବୋଟ୍‌ର ବ୍ୟବସ୍ଥା କରିଥିଲେ ମଧ୍ୟ ରବିବାର ପୂର୍ବାହ୍ନ ୧୧ରେ ତାହା ବିଚ୍ଛିନ୍ନ ହୋଇଛି। ବୋଟ୍‌ରେ କଣାଥିବାରୁ ଯାତାୟାତ ସମୟରେ ସେଥିରେ ପାଣି ପଶୁଥିଲା। ଏକମାତ୍ର ବୋଟ ଅଚଳ ହେବା ପରେ ଗଁାକୁ କେହି ଯିବାଆସିବା କରି ପାରୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ସ୍ଥାନୀୟ ସମିତିସଭ୍ୟା ପୂଜା ବେହେରା କିଛି ରିଲିଫ୍‌ ସାମଗ୍ରୀ ନେଇ ଦୀର୍ଘ ୩ ଘଣ୍ଟା ଧରି ଅପେକ୍ଷା କରି ନିରାଶ ହେବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଁାକୁ ରିଲିଫ୍‌ ସାମଗ୍ରୀ ପଠାଯାଇଥିଲା। ଏ ବାବଦରେ ଦାୟିତ୍ୱରେ ଥିବା ଏସ୍‌ଆର୍‌ସିର ସ୍ବତନ୍ତ୍ର ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ, ସେ ଏପରି ଘଟଣା ବାବଦରେ ଜାଣିଥିବା କହିଥିଲେ। ହେଲେ ବୋଟ ମରାମତି ପାଇଁ କେତେ ସମୟ ଲାଗିବ, କେବେ ରିଲିଫ୍‌ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କିଛି ଠିକ୍‌ ଭାବେ କହିନାହାନ୍ତି। ତେବେ ବନ୍ୟା ସମୟରେ ପ୍ରଶାସନର ଡଙ୍ଗା ମରାମତିକୁ ନେଇ ସ୍ଥାନୀୟ ଲୋକେ ସମାଲୋଚନା କରିଛନ୍ତି।

Share