ଢେଙ୍କାନାଳ ଅଫିସ, ୩୧।୧୨: ପାରିଶ୍ରମିକ ବୃଦ୍ଧି ଏବଂ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ଗର୍ଜିଛନ୍ତି ଢେଙ୍କାନାଳ ଜିଲାର ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀଙ୍କୁ ସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
ସ୍ବଳ୍ପ ପାରିଶ୍ରମିକରେ କାର୍ଯ୍ୟରତ ନିଖିଳ ଓଡିଶା ଏମ୍ଡିଏମ୍ ପାଚିକା ଓ ସହାୟିକାମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ତେଣୁ ପାଚିକା ଓ ସହାୟିକାଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ, ସର୍ବନିମ୍ନ ମଜୁରି, ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା, ସବୈତନିକ ପ୍ରସୂତିକାଳୀନ ଛୁଟି, ଦୁର୍ଘଟଣାଜନିତ କ୍ଷତିପୂରଣ, ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅନୁପାତରେ ପାଚିକା ନିଯୁକ୍ତି, ଆକ୍ରୋଶମୂଳକ ଛଟେଇ ବନ୍ଦ, ଅବସର ସମୟରେ ସ୍ବତନ୍ତ୍ର ସହାୟତା ଦେବା ଆଦି ସଂଘ ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବୈଠକରେ ସଂଘ ସଭାପତି ରବି ରଥ, ସମ୍ପାଦିକା ଭାରତୀ ଦାସ, ସଦସ୍ୟା ପୁଷ୍ପଲତା ଦାଶ, ଭବାନୀ ସାହୁ, ଗୀତାଞ୍ଜଳି ବେହେରା, ସୁଷମା ଦାଶ, ରେବତୀ ଦାଶ ପ୍ରମୁଖ ଯୋଗଦେଇଥିଲେ। ଏଥିପୂର୍ବରୁ ଯାଉଁଳି ପୋଖରୀ ମଠ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।