ଅଟୋ ସାହାଯ୍ୟରେ ଧାନ ଅମଳ

ଚିତ୍ରକୋଣ୍ଡା,୩୦ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ କିଛିଦିନ ତଳେ ମୋଟରସାଇକେଲ ମାଧ୍ୟମରେ ଚାଷୀ ଫସଲ ଅମଳ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବେ ଚିତ୍ରକୋଣ୍ଡା ଉପାନ୍ତ ଅଞ୍ଚଳ ଗୁଣ୍ଠାଓ୍ବା ପଞ୍ଚାୟତ ଆର୍‌ଏସ୍‌ସି ଆଠ ଏବଂ ଆରଙ୍ଗି ଗ୍ରାମରେ ଭିନ୍ନ ଉପାୟରେ ଅଟୋ ମାଧ୍ୟମରେ ବହୁ ଚାଷୀ ଫସଲ ଅମଳ କରୁଛନ୍ତି।

ପୁରାତନ କାଳରୁ ଚାଷୀଟିଏ ପାରମ୍ପରିକ ଅନୁଯାୟୀ, ବଳଦ ଏବଂ ମଇଁଷି ସାହାଯ୍ୟରେ ସମସ୍ତ ଚାଷ ଯଥା ଧାନ, ମାଣ୍ଡିଆ, ସୁଆଁ, ବିରି, ମୁଗ, କାନ୍ଦୁଲ, ରାଜମା ଇତ୍ୟାଦି ଫସଲ ଜମିରୁ କାଟି କିମ୍ବା ଉପାଡି ଖଳାରେ ରଖି ବେଙ୍ଗଳା ପକାଇ ଅମଳ କରିଥାଏ l ଆଜିର ଦିନରେ ଦେଖିବାକୁ ଗଲେ ଅନେକ ସ୍ଥାନରେ ଖଳାରେ ଚାଷୀ ଟ୍ରାକ୍ଟର କିମ୍ବା ଅନ୍ୟାନ୍ୟ ସାମଗ୍ରୀ ସାହାଯ୍ୟରେ ଫସଲ ଅମଳ କରୁଛନ୍ତି।

କିନ୍ତୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଉପାନ୍ତ ଗୁଣ୍ଠାଓ୍ବା ପଞ୍ଚାୟତ ଆର୍‌ଏସ୍‌ସି ଆଠ ଏବଂ ଆରଙ୍ଗି ଗ୍ରାମର ବହୁ ଚାଷୀ ଅମଳ ନିମନ୍ତେ ଆପଣାଇଛନ୍ତି ନୂଆ ତରିକା। ଅଟୋ ସାହାଯ୍ୟରେ ଚାଷୀ ଖଳାରେ ଧାନ ବେଙ୍ଗଳା କରୁଛନ୍ତି। ଦୁଇ ଗ୍ରାମର ବହୁ ଚାଷୀ ଏମିତି ଉପାୟ ନିଜ ମୁଣ୍ଡକୁ ଆଣିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ଅତ୍ୟଧିକ ବଳଦ କିମ୍ବା ଟ୍ରାକ୍ଟର ନାହିଁ। ତେଣୁ ଅଟୋ ମାଧ୍ୟମରେ ଫସଲ ଅମଳ କରୁଛନ୍ତି। କମ୍‌ ସମୟ ଓ କମ୍‌ ଖର୍ଚ୍ଚରେ ସହଜରେ ଧାନ ଅମଳ କରିପାରୁଛନ୍ତି। ନୂଆ କୌଶଳ ଆପଣାଇ ସ୍ବାଭିମାନ ଅଞ୍ଚଳରେ ଉଦାହରଣ ସାଜିଛନ୍ତି ଉକ୍ତ ଦୁଇ ଗ୍ରାମର ଚାଷୀ l