ଖୋଲୁନି ମଣ୍ଡି, ଖୋଲାରେ ପଡ଼ିଛି ଧାନ

ପାରଳାଖେମୁଣ୍ଡି,୨୬ା୧୨(ଡି.ଏନ୍‌.ଏ.):ଗଜପତି ଜିଲାରେ ବର୍ତ୍ତମାନ ସୁଦ୍ଧା ଧାନ ମଣ୍ଡି ଖୋଲିପାରି ନାହଁି। ତେବେ କେଉଁ କାରଣରୁ ଧାନମଣ୍ଡି ଖୋଲାଯାଇ ପାରିନି ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ଚାଷୀ ଅମଳ କରିଥିବା ଧାନ ଖଳା ଏବଂ ରାସ୍ତାକଡ଼ରେ ପଡ଼ିରହିଛି। ଅପରପକ୍ଷରେ ମେଘାଚ୍ଛନ୍ନ ଆକାଶକୁ ଦେଖି ଚାଷୀକୂଳରେ ଛନକା ପଶିଛି। ଡିସେମ୍ବର ଶେଷ ହେବାକୁ ବସିଥିଲେ ମଧ୍ୟ ଜିଲାରେ ଧାନମଣ୍ଡି ଖୋଲିବା ପାଇଁ କୌଣସି ତତ୍ପରତା ଦେଖାଉନାହାନ୍ତି ବିଭାଗୀୟ ଅଧିକାରୀ। ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୬୫ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ବିଭାଗ ଏହା ପୂରଣ କରିପାରିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧାନ ମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀକୂଳ ଚିନ୍ତାରେ ଥିବା ବେଳେ ଆନ୍ଧ୍ରର ଧାନ ବ୍ୟବସାୟୀ ସକ୍ରିୟ ହୋଇଛନ୍ତି। ଆନ୍ଧ୍ରରୁ ବ୍ୟବସାୟୀମାନେ ଆସି ଚାଷୀମାନଙ୍କଠାରୁ ବହୁ କମ୍‌ ମୂଲ୍ୟରେ ଧାନ କିଣିବା ଆରମ୍ଭ କରିଛନ୍ତି। ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ଖୋଲା ଯାଇ ନ ଥିବାରୁ ବାଧ୍ୟହୋଇ ଚାଷୀ କମ୍‌ ମୂଲ୍ୟରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି।

Share