କୋକସରା, ୨୨।୧୧ (ଡି.ଏନ.ଏ.) ମଣ୍ଡି ପାଇଁ ଜାଗା ମିଳୁ ନ ଥିଲା। ଗମ୍ଭାରୀଗୁଡାର ଚାଷୀ ମାଧବ ରାଉତ ନିଜ ୧ ଏକର ଚାଷ ଜମିକୁ ମଣ୍ଡି ପାଇଁ ଦାନ କରିଥିଲେ। ଶନିବାର ତାଙ୍କ ହାତରେ ସେହି ମଣ୍ଡି ଉଦ୍ଘାଟିତ ହୋଇଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପେକ୍ସ ଅଧୀନରେ ଥିବା ଗମ୍ଭାରୀଗୁଡା ପଞ୍ଚାୟତର ଚାଷୀଙ୍କ ଧାନ ବିକ୍ରି ପାଇଁ ମଣ୍ଡି ସମସ୍ୟା ରହିଥିଲା । ଗାଁର ଖେଳ ପଡିଆରେ ଚାଷୀଙ୍କ ପାଇଁ ମଣ୍ଡି ଖୋଲୁଥିଲା। ଖୋଲା ଆକାଶ ତଳେ ମଣ୍ଡି ଚାଲିଥିଲା। ଏଥିପାଇଁ ସବୁଦିନିଆ ମଣ୍ଡି ପାଇଁ ଦାବି ହୋଇ ଆସୁଥିଲା । ମାଧବ ଜମି ଦାନ ସୂତ୍ରରେ ଦେବା ପରେ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଏକ ଧାନ ମଣ୍ଡି ନିର୍ମାଣ ହୋଇ ଶନିବାର ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଶନିବାର ଏହି ଉପମଣ୍ଡିକୁ ମୁଖୀଗୁଡା ଆରଏମ୍ସି ସମ୍ପାଦକଙ୍କ ଉପସ୍ଥିତରେ ମାଧବ ଉଦ୍ଘାଟନ କରିଛନ୍ତି।