ମାଲକାନଗିରିରେ ଖୋଲିଲା ଧାନମଣ୍ଡି

ମାଲକାନଗିରି,୩୦ା୧୧(ଡି.ଏନ୍‌.ଏ.): ସୋମବାର ମାଲକାନଗିରି ଜିଲାରେ ଚାଷୀମାନଙ୍କ ନିକଟରୁ ଧାନ କିଣିବା ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି। ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଥିବା ମଣ୍ଡିକୁ ଜିଲାପାଳ ଓ୍ବାଇ ବିଜୟ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ରାମେଶ୍ୱର ପ୍ରଧାନ, ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାୟକ, ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ସଭାପତି ସନୁ ଅନୁଗୁଙ୍କ ସହ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ, ମାଲକାନଗିରି ଲ୍ୟାମ୍ପ ପରିଚାଳକ ଏବଂ ମିଲ୍‌ ମାଲିକମାନେ ଉପସ୍ଥିତ ଥିଲେ। ଆଜି ମଣ୍ଡିକୁ ୧୪ ଜଣ ଚାଷୀ ଧାନ ଆଣିଥିଲେ। ଟୋକନ ପାଇଥିବା ଚାଷୀମାନେ ନିର୍ଦ୍ଧାରିତ ଦିନ ପୂର୍ବରୁ ଧାନ ସହ ନିଜ ପରିଚୟ ପ୍ରମାଣ, ଭୋଟର ପରିଚୟ ପତ୍ର, କିଷାନ କ୍ରେଡିଟ କାର୍ଡ, ବିଜୁ କଲ୍ୟାଣ ଯୋଜନା କାର୍ଡ, ଆଧାର କାର୍ଡର ନକଲ ଧରି ମଣ୍ଡିକୁ ଆଣି ଆସିବେ। ମଣ୍ଡିରେ ଟୋକନ ପାଇଥିବା ଚାଷୀମାନେ ସକାଳ ୮ଟାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ମଣ୍ଡିକୁ ଧାନ ଆଣିପାରିବେ। ପଞ୍ଜୀକୃତ ଚାଷୀମାନେ ୭ ଦିନ ପୂର୍ବରୁ ଟୋକନ ପାଇପାରିବେ। ଯଦି କୌଣସି ଅସୁବିଧା ଉପୁଜେ ମାଲକାନଗିରି ଜିଲାପାଳ, ଜିଲା ଯୋଗାଣ ବିଭାଗ, ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟିକୁ ଫୋନ୍‌ ଦ୍ୱାରା ଜଣାଇବେ। ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଥିଲା ବେଳେ ଗ୍ରେଡ୍‌ ‘ଏ’ ଧାନ କ୍ୱିଣ୍ଟାଲ ପିଛା ୧୮୮୮ ଟଙ୍କା ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି।