ପଦ୍ମପୁର ଉପନିର୍ବାଚନ: ଗୁରୁବାର ଆସିବ ଫଳାଫଳ

ପଦ୍ମପୁର,୭।୧୨(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନର ଫଳାଫଳ ଗୁରୁବାର ଆସିବ। ଏଥିପାଇଁ ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଆର୍‌ଏମ୍‌ସି ଗୋଦାମରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଆଶା ଆଶଙ୍କା ବଢ଼ୁଥିବା ବେଳେ ଆସନ୍ତାକାଲି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ମୋଟ ୩୧୯ଟି ବୁଥ୍‌ରେ ଭୋଟ ହୋଇଥିବା ବେଳେ ଗୋଟିଏ ରାଉଣ୍ଡରେ ୧୪ଟି ଟେବୁଲରେ ଗଣତି ହେବ ଓ ମୋଟ ୨୩ ରାଉଣ୍ଡ ଗଣତି ହେବ ବୋଲି ପଦ୍ମପୁର ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତ୍ରିଲୋଚନ ପାତ୍ର ସୂଚନା ଦେଇଛନ୍ତି। ଏତଦ୍‌ ବ୍ୟତୀତ ପୋଷ୍ଟାଲ ବାଲାଟ ପାଇଁ ପ୍ରଥମେ ସକାଳ ୮ଟାରେ ସ୍ବତନ୍ତ୍ର ଟେବୁଲରେ ଗଣତି ହେବ। ଏହାପରେ ଇଭିଏମ୍‌ର ଗଣତି ହେବ। ଭୋଟ ଗଣନା କେନ୍ଦ୍ରରେ ତ୍ରିସ୍ଥରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟେକ୍ନିକାଲ ଟିମ୍‌ ଛଡା ଅନ୍ୟମାନଙ୍କୁ ଭିତରକୁ ଛଡାଯାଉନାହିଁ।