କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆଜି ସକାଳେ ହଠାତ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ। ଅତ୍ୟଧିକ ଗରମ ଅନୁଭୂତ ହେଉଥିଲା। ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଚିକିତ୍ସା କରିଥିଲେ। ଏହା ତ୍ତ୍ୱେ ସେ ଦୁର୍ବଳ ମନେ କରି ବିଛଣାରୁ ଉଠି ପାରି ନ ଥିଲେ। ସକାଳୁ ମଧ୍ୟ ଅତ୍ୟଧିକ ଦୁର୍ବଳ ହେବାରୁ ଘର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରି ତାଙ୍କୁ ପତଳା ଝାଡ଼ା ହେବା ଫଳରେ ଏପରି ଅସୁସ୍ଥ ହୋଇଛି ଏବଂ ବର୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର ଚିତରଞ୍ଜନ ସେଠୀ ପ୍ରକାଶ କରିଛନ୍ତି।
କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦାରା ବିଶ୍ୱ ଦରବାରରେ ପରିଚିତ କରି ଥିବାରୁ ତାଙ୍କୁ ଭାରତ ସରକାର ଗତବର୍ଷ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ।
ଗତ କିଛିଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇଥିଲେ। ଏହି ସବୁ ଦୁଃଖଦ ଘଟଣାକୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିଲା।