ଭୁବନେଶ୍ୱର,୨୭।୭(ବ୍ୟୁରୋ): ସୁପରିଚିତ ଆଦିବାସୀ କବି ଓ ଗାୟିକା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଅସୁସ୍ଥତା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜ୍ୱର ଓ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ୭୭ ବର୍ଷୀୟା ପୂର୍ଣ୍ଣମାସୀ ରବିବାର ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ତାଙ୍କୁ କନ୍ଧମାଳ ଜିଲାର ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକର ଚାରିପଦାରେ ଜନ୍ମିତ ପୂର୍ଣ୍ଣମାସୀ ସ୍ଥାନୀୟ ଅଞ୍ଚଳରେ ‘ତଡ଼ିସାରୁ ବାଈ’ ନାମରେ ବେଶ୍ ପରିଚିତ। ସେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଓଡ଼ିଆ ସଙ୍ଗୀତ ରଚନା ସହ କଣ୍ଠଦାନ କରିଛନ୍ତି। ତାଙ୍କର ସଙ୍ଗୀତଗୁଡ଼ିକ ମୁଖ୍ୟତଃ ଓଡ଼ିଆ ସଂସ୍କୃତି ଓ ଆଧ୍ୟାତ୍ମିକତା ଉପରେ ପର୍ଯ୍ୟବସିତ। ତାଙ୍କର ଏହି ଅବଦାନ ନିମନ୍ତେ ୨୦୨୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।