ଅନ୍ଧାରରେ ପଦ୍ମଶ୍ରୀଙ୍କ ପରିବାର

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ତଳ ବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ପରିବାର ଅନ୍ଧାରରେ। ବିଭାଗୀୟ ଭୁଲ ଯୋଗୁ ଦୀର୍ଘ ଏକ ମାସ ହେଲା ତାଙ୍କ ଘରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦିଆଯାଇଛି। ଫଳରେ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବକେୟା ବିଲ୍‌ ପୈଠ ହୋଇ ନ ଥିବାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଥିବା ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଭୁଲ ବିଲ୍‌ ଆସିଥିବା ଦୈତାରୀ କହିଛନ୍ତି।
ଅଭିଯୋଗ ମୁତାବକ, ଗତ ଏକ ବର୍ଷ ହେଲା ଦୈତାରୀଙ୍କ ଘରେ ଥିବା ବିପିଏଲ ସଂଯୋଗକୁ କାଟି ଦିଆଯାଇଛି। ତେଣୁ ସେ ଘରୋଇ ବିଦ୍ୟୁତ୍‌ ସଂଯୋଗରୁ ଅର୍ଥ ପୈଠ କରି ବିଜୁଳି ଜାଳୁଥିଲେ। ଗତ ମାସରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିପିଏଲ୍‌ ସଂଯୋଗର ବକେୟା ବିଲ୍‌ ଦିଆଯାଇଥିଲା। କିନ୍ତୁ ତାହା ବିଚ୍ଛିନ୍ନ ହୋଇଯାଇଥିବା ଦୈତାରୀ କହିଥିଲେ। ମାତ୍ର ବିଭାଗର କର୍ମଚାରୀ କିଛି ନ ଶୁଣି ଘରୋଇ ବିଦ୍ୟୁତ୍‌ ସଂଯୋଗକୁ କାଟି ଦେଇଥିଲେ। ଘରେ ସ୍ତ୍ରୀ, ତିନି ପୁଅ, ବୋହୂ ଓ ନାତିନାତୁଣୀଙ୍କ ସହ ରହୁଛନ୍ତି। ବିଦ୍ୟୁତ୍‌ ବିଚ୍ଛିନ୍ନ ଫଳରେ ସେ ପରିବାର ସହିତ ଅନ୍ଧାରରେ ରହୁଛନ୍ତି। ବଣଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାରୁ ଅନ୍ଧାରରେ ନାନା ସମସ୍ୟା ମଧ୍ୟରେ ଛୋଟ ଛୋଟ ପିଲାଙ୍କୁ ଧରି ରହୁଥିବା ସେ କହିଛନ୍ତି। ବିଭାଗୀୟ ତ୍ରୁଟି କାରଣରୁ ବିଲ୍‌ ପଇଠ ହୋଇ ନ ଥିବା ବେଳେ ଜଣେ ପଦ୍ମଶ୍ରୀଙ୍କ ଘରୁ ବିଦ୍ୟୁତ୍‌ ସଂଯୋଗ କାଟିଦେବାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଉଛି। ଏହାର ସମାଧାନ କରି ବିଦ୍ୟୁତ୍‌ ସଂଯୋଗ କରିବାକୁ ଦାବି ହେଉଛି। ଏ ନେଇ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ଦାସ କହିଛନ୍ତି, ବିଦ୍ୟୁତ୍‌ କାହିଁକି କଟାଯାଇଛି ଜାଣିନାହାନ୍ତି। ତେବେ କ’ଣ ସମସ୍ୟା ହୋଇଛି, ସେ ବିଷୟରେ ବିଲ୍‌ ସହିତ ଆସି ଜଣାଇଲେ ଆବଶ୍ୟକ ସହାୟତା ପ୍ରଦାନ କରିବେ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ପଦ୍ମଶ୍ରୀ ଦୈତାରୀ ନାଏକ ନିଜର ଓ ସ୍ଥାନୀୟ ଲୋକଙ୍କ ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ଦୀର୍ଘ ୩ ବର୍ଷ ପରିଶ୍ରମ କରି ତିନି କିମି ଦୂରରୁ ନିଜ ଉଦ୍ୟମରେ କେନାଲ ଖୋଳିଥିଲେ। ତାଙ୍କ ଉଦ୍ୟମ ଯୋଗୁ ଏବେ ବନବାସୀମାନେ ପାହାଡ଼ିଆ ଝରଣାର ଜଳ ବ୍ୟବହାର କରି ବର୍ଷ ତମାମ ଚାଷ କରିପାରୁଛନ୍ତି।

Share