କେନ୍ଦୁଝର,୧୯ା୧୨(ସ୍ବ.ପ୍ର.):କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍ କାଟ ଯୋଗୁ ଦୈତାରୀଙ୍କ ପରିବାର ଅନ୍ଧାରରେ କାଳାତିପାତ କରୁଥିଲେ। ଏହାକୁ ନେଇ ଧରିତ୍ରୀରେ ଶନିବାର ଅନ୍ଧାରରେ ପଦ୍ମଶ୍ରୀଙ୍କ ପରିବାର ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ ବିଭାଗ ତତ୍ପରତା ଦେଖାଇଥିଲା। ଉକ୍ତ ଦିନ ଅପରାହ୍ନରେ ବିଦ୍ୟୁତ ବିଭାଗ କର୍ମଚାରୀ ପଦ୍ମଶ୍ରୀଙ୍କ ଘରେ ବିଦ୍ୟୁତ୍ ସଂଯୋଗ କରିଥିଲେ। ଫଳରେ ପଦ୍ମଶ୍ରୀଙ୍କ ପରିବାର ସଦସ୍ୟ ଖୁସି ବ୍ୟକ୍ତ କରିଥିବା ବେଳେ ପୁନଃ ବିଦ୍ୟୁତ୍ ସଂଯୋଗ ପାଇଁ ଧରିତ୍ରୀ ଖବରକାଗଜକୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତ ଏବ ବର୍ଷ ହେଲା ଦୈତାରୀଙ୍କ ଘରେ ଥିବା ବିପିଏଲ ସଂଯୋଗକୁ କାଟି ଦିଆଯାଇଛି। ସେ ଘରୋଇ ବିଦ୍ୟୁତ୍ ସଂଯୋଗରୁ ଅର୍ଥ ପୈଠ କରି ବିଜୁଳି ଜାଳୁଥିଲେ। ଗତ ମାସରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିପିଏଲ୍ ସଂଯୋଗର ବକେୟା ବିଲ୍ ଦିଆଯାଇଥିଲା। କିନ୍ତୁ ତାହା ବିଚ୍ଛିନ୍ନ ହୋଇଯାଇଥିବା ଦୈତାରୀ କହିଥିଲେ। ମାତ୍ର ବିଭାଗର କର୍ମଚାରୀ କିଛି ନ ଶୁଣି ଘରୋଇ ବିଦ୍ୟୁତ୍ ସଂଯୋଗକୁ କାଟି ଦେଇଥିଲେ। ବିଭାଗୀୟ ତ୍ରୁଟି କାରଣରୁ ବିଲ୍ ପଇଠ ହୋଇ ନ ଥିବା ବେଳେ ଜଣେ ପଦ୍ମଶ୍ରୀଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟି ଦେବାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିଲା।