ଆଲୋକିତ ହେଲା ପଦ୍ମଶ୍ରୀଙ୍କ ଘର

କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ ଅନ୍ଧାରରେ ରାତି କାଟୁଥିଲେ ଦୈତାରୀଙ୍କ ପରିବାର। ଏହାକୁ ନେଇ ଧରିତ୍ରୀରେ ଶନିବାର ‘ଅନ୍ଧାରରେ ପଦ୍ମଶ୍ରୀଙ୍କ ପରିବାର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ ବିଭାଗ ତତ୍ପରତା ଦେଖାଇ ଉକ୍ତ ଦିନ ଅପରାହ୍ନରେ ବିଚ୍ଛେଦ ବିଦ୍ୟୁତ୍‌ ସଂଯୋଗ କରିଦେଇଛନ୍ତି। ଫଳରେ ପଦ୍ମଶ୍ରୀଙ୍କ ପରିବାର ଆଲୋକିତ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ବିଲ୍‌ ପୈଠ କରି ନ ଥିବାରୁ ବିଦ୍ୟୁତ୍‌ ବିଭାଗ ସମଗ୍ର ଘରର ବିଦ୍ୟୁତ୍‌ କାଟ୍‌ କରି ଦେଇଥିଲେ ା ବିଭାଗୀୟ ଭୁଲ ଯୋଗୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିଲା। ଫଳରେ ମାସେ ହେଲା ସେ ପରିବାର ସହିତ ଅନ୍ଧାରରେ ରହୁଥିଲେ ବୋଲି କହିଛନ୍ତି ପଦ୍ମଶ୍ରୀ ଦୈତାରୀ। ତେବେ ଏଭଳି ପୁନଃ ବିଦ୍ୟୁତ ସଂଯୋଗ ପାଇଁ ବିଭାଗ ତଥା ‘ଧରିତ୍ରୀ’କୁ ଧନ୍ୟବାଦ ଜଣାଇଛନ୍ତି। ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅନ୍ଧାରରେ ପରିବାରର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଭୟ ଲାଗିରହୁଥିଲା।

ସ୍ମରଣଯୋଗ୍ୟ, ପଦ୍ମଶ୍ରୀ ଦୈତାରୀ ନାଏକ ନିଜ ଉଦ୍ୟମରେ ଦୀର୍ଘ ୩ କିମି ପଥର ଓ ମାଟି ତାଡ଼ି ପାହାଡ଼ ଉପରୁ କେନାଲ ଖୋଳି ଝରଣା ପାଣି ଆଣି ନିଜ ତଥା ଗ୍ରାମବାସୀଙ୍କ ଜମି ଜଳସେଚନ କରିଥିଲେ। ଏଥିରେ ତାଙ୍କର କୌଣସି ନିଜସ୍ବ ସ୍ବାର୍ଥ ନ ଥିଲା। ସାମୁହିକ ସ୍ବାର୍ଥ ପାଇଁ କରିଥିବା ଉଦ୍ୟମ ପାଇଁ ତାଙ୍କୁ ଭାରତ ସରକାର ଅନ୍ୟତମ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମଶ୍ରୀ’ ପ୍ରଦାନ କରିଥିଲେ।

Share