ଜେଲ ଗଲେ ପାଦ୍ରୀ

ଚେନ୍ନାଇ, ୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ହିନ୍ଦୁଧର୍ମ ଏବଂ ତାମିଲନାଡୁ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ଜଣେ ରୋମାନ କାଥୋଲିକ୍‌ ପାଦ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଅସମ୍ମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପାଦ୍ରୀ ଜର୍ଜ ପୋନିଆଙ୍କୁ ତାମିଲନାଡୁର ମଦୁରାଇରୁ ଗିରଫ କରାଯାଇଛି। ବିଭିନ୍ନ ଧର୍ମ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା ଅଭିଯୋଗରେ ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସମେତ ମହାମାରୀ ସମୟରେ ସଭା କରିଥିବାରୁ ଏପିଡେମିକ୍‌ ଡିଜିଜ୍‌ ଆକ୍ଟରେ ମାମଲା ରୁଜୁ ହୋଇଛି। ଜୁଲାଇ ୧୮ରେ ଫାଦର ଷ୍ଟାନ୍‌ ସ୍ବାମୀଙ୍କ ସ୍ମୃତିରେ ଅରୁମନାଇ ଖ୍ରୀଷ୍ଟିଆନ୍‌ ଆସୋସିଏଶନ୍‌ର ଷ୍ଟିଫେନ୍‌ ନାମକ ବ୍ୟକ୍ତି ଏକ ଉତ୍ସବର ଆୟୋଜନ କରିଥିଲେ। ଏଥିରେ ଯୋଗଦେଇ ପାଦ୍ରୀ ଜର୍ଜ ମୋଦି ଓ ଶାହାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଷ୍ଟିଫେନଙ୍କୁ ରବିବାର ଗିରଫ କରାଯାଇଛି। ଅନ୍ୟପକ୍ଷରେ ଜର୍ଜଙ୍କୁ ଶନିବାର କୁଝିଥୁରାଇ ମାଜିଷ୍ଟେଟଙ୍କ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପାଲାୟମକୋଟାଇ କେନ୍ଦ୍ରୀୟ ଜେଲ୍‌ରେ ଥିବା ପାଦ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ଚିକିତ୍ସା କରାଯାଇଥିଲା। ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ସେ ଗତ ୨୪ ତାରିଖରେ କ୍ଷମା ମାଗିଥିଲେ ଏବଂ ତାଙ୍କ ମନ୍ତବ୍ୟକୁ ବଦଳାଯାଇଥିବା ଅଭିଯୋଗ କରିଥିଲେ। ସେହି ସଂଶୋଧିତ ଭିଡିଓ ଦେଖି ହିନ୍ଦୁ ଧର୍ମାବଲମ୍ବୀମାନେ ତାଙ୍କୁ ଭୁଲ୍‌ ବୁଝିଥିଲେ ବୋଲି ପାଦ୍ରୀ କହିଥିଲେ।

Share