ପାକିସ୍ତାନ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ,୧୫ ।୯: ପାକିସ୍ତାନ ବାୟୁସେନାର ଏକ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ନିୟମିତ ପ୍ରଶିକ୍ଷଣ ସମୟରେ ବିମାନଟି ଆଟୋକର ପିଣ୍ଡିଘେବ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି । ତେବେ ଦୁର୍ଘଟଣାରେ କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ତେବେ ବିମାନ ଦୁର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଡନ୍‌ର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଏହାକୁ ମିଶାଇ ୫ ଥର ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି । ପ୍ରଥମେ ମାର୍ଚ୍ଚ ୨୩ରେ ବାୟୁସେନାର ଏକ ବିମାନ ଇସ୍‌ଲାମାବାଦର ଶାକରପାରିଆନରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ୱିଙ୍ଗ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ଫେବୃୟାରୀ ୧୨ରେ ଏକ ପ୍ରଶିକ୍ଷଣ ବିମାନ ନିୟମିତ ପ୍ରଶିକ୍ଷଣ ସମୟରେ ଖେବର ପଖତୁନୱାର ତଖତ ଭାଇରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହିପରି ଲାହୋର ମୁଲତାନ ମୋଟରୱେରେ ଦୁର୍ଘଟଣା ହୋଇଥିବା ବାୟୁସେନାର ପ୍ରଶିକ୍ଷଣ ବିମାନରୁ ମଧ୍ୟ ୨ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିଥିଲେ । ହେଲେ ଜାନୁୟାରୀରେ ମେନୱାଲିରେ ଯେଉଁ ପାକିସ୍ତାନ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେଥିରେ ୨ ପାଇଟଙ୍କ ମୃତ୍ୟୁ ହୋଇଥିଲା ।

Share