Categories: ଜାତୀୟ

ପିଏଜିଡି ୧୧୦, ଭାଜପା ୭୪

ଶ୍ରୀନଗର/ଜମ୍ମୁ, ୨୪।୧୨ (ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ଡିଡିସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫଳରେ ଭୋଟ ଦେବା ପାଇଁ ମତଦାତାଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ଦେଖାଯାଇଥିଲା। ସାମ୍ବିଧାନିକ ପରିବର୍ତ୍ତନକୁ ବିରୋଧ କରି ଆଞ୍ଚଳିକ ଦଳଗୁଡ଼ିକ ଗୁପ୍‌କାର ମେଣ୍ଟ ଗଢ଼ିଥିଲେ। ଡିଡିସି ନିର୍ବାଚନରେ ମେଣ୍ଟ ପକ୍ଷରୁ ସବୁ ଆସନରେ ମିଳିତ ପ୍ରାର୍ଥୀ ଦିଆଯାଇଥିବାବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇପାରିଛି। ଅନ୍ୟପକ୍ଷେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଏହି ନିର୍ବାଚନ ମେଣ୍ଟ ସପକ୍ଷରେ ଯାଇଥିବା ଦର୍ଶାଇଛନ୍ତି। କଶ୍ମୀରବାସୀ କେନ୍ଦ୍ରର ୩୭୦ ଉଚ୍ଛେଦକୁ କଡ଼ା ଜବାବ ଦେଇଥିବା ସେ ସମାଲୋଚନା କରିଛନ୍ତି।
ଜମ୍ମୁ-କଶ୍ମୀରରେ ସଦ୍ୟସମାପ୍ତ ଜିଲା ଉନ୍ନୟନ ପରିଷଦ (ଡିଡିସି) ନିର୍ବାଚନରେ ପିପୁଲ୍ସ ଆଲିଆନ୍ସ ଫର ଗୁପ୍‌କାର ଡିକ୍ଲାରେଶନ (ପିଏଜିଡି) ସର୍ବାଧିକ ୧୧୦ ଆସନରେ ବିଜୟୀ ହୋଇଛି। ୨୮୦ ଆସନ ମଧ୍ୟରୁ ବୁଧବାର ସନ୍ଧ୍ୟା ସୁଦ୍ଧା ୨୭୬ ଆସନର ଫଳାଫଳ ପ୍ରକାଶ ପାଇଛି। ଭାଜପା ୭୪ ଆସନରେ ଜିତିଥିବାବେଳେ ସ୍ବାଧୀନ ପ୍ରାର୍ଥୀମାନେ ୪୯ ଆସନ ହାତେଇ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସକୁ ୨୬ ଆସନ ମିଳିଥିବାବେଳେ ଅପ୍‌ନି ପାର୍ଟିକୁ ୧୨, ପିଡିଏଫ୍‌ ଏବଂ ନ୍ୟାଶନାଲ ପାନ୍ଥର୍ସ ପାର୍ଟିକୁ ୨ଟି ଲେଖାଏ ଓ ବିଏସ୍‌ପିକୁ ଗୋଟିଏ ଆସନ ମିଳିଛି। ୬ଟି ଜିଲାରେ ପିଏଜିଡିକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିବାବେଳେ ଭାଜପା ୫ଟି ଜିଲାରେ କ୍ଷମତା ଦଖଲ କରିବାକୁ ଯାଉଛି। ଆଞ୍ଚଳିକ ଦଳଗୁଡ଼ିକର ମେଣ୍ଟ ଅନ୍ୟ ୬ ଜିଲାରେ ଭାଜପାକୁ ପରାଜିତ କରିଥିଲେ ବି ସଂଖ୍ୟାଗରିଷ୍ଠତାଠାରୁ ଗୋଟିଏ କିମ୍ବା ଦୁଇଟି ଆସନ କମ୍‌ ପାଇଛି।

Share