ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ଜାତିସଂଘରେ ସ୍ୱର ଉଠାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୧୧।୫: ଦେଶରେ ଏବେ ମଧ୍ୟ କେତେକ ଅଞ୍ଚଳରେ ମହିଳାମାନଙ୍କ ମାସିକ ଋତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲୋକମାନେ ପଛଘୁଞ୍ଚା ଦେଉଥିଲା ବେଳେ ମିଳିତ ଜାତିସଂଘର ‘ସିଭିଲ୍ ସୋସାଇଟି କନଫରେନ୍ସ ୨୦୨୪’ ରେ ”ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି” ପାଇଁ ସ୍ୱର ଉଠାଇଛନ୍ତି ଜଣେ ଓଡିଆ ଝିଅ।

ମେ ୯ ରୁ୧୦ ନାଇରୋବିରେ ଅନୁଷ୍ଠିତ ସମ୍ମାନଜନକ ସମ୍ମିଳନୀରେ ରଞ୍ଜୀତା ପ୍ରିୟଦର୍ଶିନୀ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସମଗ୍ର ବିଶ୍ୱରେ ଧ୍ୟାନ ଆକର୍ଷଣ କରିଥିଲେ। ”ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି” ପ୍ରସଙ୍ଗରେ ରଞ୍ଜୀତାଙ୍କୁ ସମସ୍ତ ପ୍ରତିନିଧିଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା।

“ମୁଁ ସମସ୍ତ ମହିଳା କର୍ମଚାରୀଙ୍କ ପାଇଁ ‘ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି’ ପାଇଁ କାମ କରୁଛି। ମୁଁ ଏଠାରେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ମହିଳା କର୍ମଚାରୀଙ୍କ ପାଇଁ ଏହି ପ୍ରସଙ୍ଗକୁ ସମର୍ଥନ କରନ୍ତୁ। ଯଦି ‘ଦେୟଯୁକ୍ତ ଛୁଟି’ ଲାଗୁ ହୁଏ, ମହିଳା କର୍ମଚାରୀମାନେ ଡ୍ୟୁଟିରେ ଥିବାବେଳେ ଋତୁସ୍ରାବ ସମୟରେ ସହାୟତା ପାଇବେ। ଏହା ଏକ ଅନୁରୋଧ ଯେ ଯଦି ଆପଣ ଏହି ସମସ୍ୟାକୁ ସମର୍ଥନ କରନ୍ତି, ତେବେ ଏହା ସମଗ୍ର ବିଶ୍ୱରେ ଅନେକ ମହିଳା କର୍ମଚାରୀଙ୍କୁ ସାହାଯ୍ୟ କରିବ ବୋଲି ରଞ୍ଜୀତା କହିଥିଲେ”, ଯାହାକୁ ସାରା ବିଶ୍ୱର ପ୍ରତିନିଧିମାନେ କରତାଳି ଦେଇଥିବା ସମର୍ଥନ ଜଣାଇଥିଲେ।

ଏହାପୂର୍ବରୁ ରଞ୍ଜୀତା ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟକୁ ଭାରତର ସମସ୍ତ ମହିଳା ଶ୍ରମିକଙ୍କ ପାଇଁ ‘ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି’ ଲାଗୁ କରିବାକୁ ଅନୁରୋଧ କରିଥିଲେ।

Share