ଖୋର୍ଦ୍ଧା,୨୯ା୭(ପ୍ରଭାତ ପାଣିଗ୍ରାହୀ): ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍ଘାଟନ କରିଥିଲେ। ଏଥିସହିତ ସେଠାରେ ଏକ ପାଇକ ସଂଗ୍ରାହଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ବ୍ୟୟ ଅଟକଳରେ ଏହି କୋଠା ନିର୍ମାଣ ହୋଇଥିଲା। ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଏବଂ ସ୍ମୃତିକୁ ସାଉଁଟିବା ନିମନ୍ତେ ରାଜ୍ୟ ସରକାର ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ତେବେ ପାଇକ ସଂଗ୍ରହାଳୟ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି।
ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ଖୋର୍ଦ୍ଧା ପାଇକ ବୀରଙ୍କ ଅବଦାନ ଅତୁଳନୀୟ। ପାଇକମାନଙ୍କ ବୀରତ୍ୱର ଗାଥା ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଭବିଷ୍ୟତ ପିଢିଙ୍କ ଲାଗି ଏଠାରେ ପାଇକ ସଂଗ୍ରହାଳୟ ପାଇଁ ଯୋଜନା ହୋଇଥିଲା। ତାହା କେବଳ ସଭା, ସମିତି, ଆଲୋଚନା, ପର୍ଯ୍ୟାଲୋଚନା ମଧ୍ୟରେ ସୀମିତ ହୋଇ ରହିଗଲା। ସେହିପରି ସାମାଜିକକର୍ମୀ ରାମ ନାରାୟଣ ଦାଶ କହିଛନ୍ତି, ଲାଲମାଟିର ଗଡ଼ ଖୋର୍ଦ୍ଧା ଅବହେଳିତ ଅବସ୍ଥାରେ ରହିଛି। ଗଡ଼ଖୋର୍ଦ୍ଧା ବିଲୁପ୍ତ ଅବସ୍ଥାରେ ରହିଛି। ପାଇକ ସଂଗ୍ରହାଳୟ ସ୍ଥାପନା ହେଲେ, ପାଇକ ମାନଙ୍କ ଯୁଦ୍ଧ ରଣକୌଶଳ ସମ୍ପର୍କରେ ଆଗାମୀ ଯୁବପିଢି ଜାଣିବାର ସୁଯୋଗ ପାଇଥାନ୍ତେ। ଏ ମାଟିର ଗୌରବ ବଢିଥାନ୍ତା। ରାଜନୈତିକ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଏହି କୋଠା କାର୍ଯ୍ୟକ୍ଷମ ନେଇ ଆଶଙ୍କା ରହିଛି।
ପ୍ରୋତ୍ସାହନ ଅଭାବରୁ ଆଗେଇଲାନି ସମରକଳା
ଗୁରୁଜଙ୍ଗଠାରେ ୯୦ଦଶକରେ ସମରକଳା ଏକାଡ଼େମୀ ଆରମ୍ଭ ହୋଇଥିଲା। ସେହି ସମୟରେ ପାଇକ ଗୁରୁଙ୍କ ତତ୍ତ୍ୱାବଧାନରେ ଯୁବକମାନେ ସମରକଳା, ପାଇକ ଆଖଡ଼ା ପ୍ରଦର୍ଶନୀ ପ୍ରଶିକ୍ଷଣ ନେଉଥିଲେ। କୁହାଯାଏ ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ଏହି ସ୍ଥାନ ପରିଦର୍ଶନ କରି ଏହି କଳାର ଉଚ୍ଚ ପ୍ରଂଶସା କରିଥିଲେ। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏହା ଆଗକୁ ବଢ଼ିପାରିଲା ନାହିଁ। ପ୍ରୋତ୍ସାହନ ଅଭାବରୁ ମାଟିରେ ମିଶିଗଲା।
ଫନୀରେ ନଷ୍ଟ ହୋଇଗଲା
ଏହି କୋଠା କୌଣସି କାରଣରୁ ଉଦ୍ଘାଟନ ହୋଇପାରି ନ ଥିଲା। ସେବେଠାରୁ ଏହି କୋଠା ବିପର୍ଯ୍ୟସ୍ତ ହୋଇ ପଡିରହିଥିବା ବେଳେ ପରବର୍ତ୍ତୀ ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତ, କାନ୍ଥ ଫାଟି ଆଁ କରିବା ସହ ଲୁହାର ଫାଟକରେ କଳଙ୍କି ଲାଗିଯାଇଥିଲା। ଏପରିକି କୋଠା ପରିସର ସାପଙ୍କ ବାସସ୍ଥାନ ପାଲଟିଥିଲା। ୨୦୧୯ ଫନୀ ବାତ୍ୟାରେ ଏହି କୋଠା ନଷ୍ଟ ହୋଇଯାଇଥିଲା। ତେବେ ଯେଉଁ ଉଦ୍ଦେଶ୍ୟରେ ଏହି କୋଠା ନିର୍ମାଣ କରାଯାଇଥିଲା, ତାହା ଏବେବି ଆଶାରେ ରହିଯାଇଛି।
ଲକ୍ଷ୍ୟଠାରୁ ଦୂରରେ
ବିଟ୍ରିଶ ସହିତ ଲଢ଼େଇ କରି ବଳିଦାନ ଦେଇଥିବା ପାଇକଙ୍କ ବୀରତ୍ୱର ଗାଥା ଏବଂ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଖଣ୍ଡା, ବର୍ଚ୍ଛା, ଢାଲ, ପାଇକ ବୀରଙ୍କ ତୈଳଚତ୍ର, ପ୍ରାଚନୀ କୀର୍ତ୍ତିରାଜୀ ଆଦି ଏହି ସଂଗ୍ରାହଳୟରେ ସ୍ଥାନ ପାଇବ ବୋଲ ଲକ୍ଷ୍ୟ ଥିଲା। ଆଗାମୀ ପିଢିଙ୍କ ପାଇକ ବୀରଙ୍କ ବୀରତ୍ୱ ସମ୍ପର୍କରେ ଅବଗତ କରାଇବା ତଥା ଏହି ଜାତିର ଗୌରବକୁ ସମାଜରେ ପ୍ରତିଷ୍ଠିତ କରାଇବା ଏହି ସଂଗ୍ରାହଳୟର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।