Categories: ଖେଳ

ପୁଣି ଦଳରେ ମିଳିଲାନି ସୁଯୋଗ, ଡିପି ହଟାଇ ଭାବବିହ୍ବଳ ପୋଷ୍ଟ କଲେ ପୃଥ୍ବୀ…

ନୂଆଦିଲ୍ଲୀ,୨୮।୧୨: ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ କିଛି ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ପୃଥ୍ବୀ ଶ’ ରହିଛନ୍ତି। ମଙ୍ଗଳବାର ଦଳ ଘୋଷଣା କରାଯିବା ପରେ ସେ ନିରାଶ ହୋଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି।

ପୃଥ୍ବୀ ଏକ କବିତା ଶେୟାର କରି କହିଛନ୍ତି, ‘ଯାହାକୁ ମୁଁ ଯେକୌଣସି ମୂଲ୍ୟରେ ହାସଲ କରିବାକୁ ଚାହୁଁଥିଲି, କେହିଜଣେ ମାଗଣାରେ ପାଇଗଲେ’। ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, ‘କେହି ହସୁଛି ତ ତାହାର ଅର୍ଥ ଜୀବନରେ ସବୁକିଛି ଠିକ୍‌ ଚାଲିଛି। ସ୍ବତଃପ୍ରବୃତ ଭାବେ ସମସ୍ୟା ଆସିଥାଏ। ’ଏଥିସହ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପ୍ରୋଫାଇଲ ଫଟୋ ହଟାଇ ଦେଇଛନ୍ତି।

ଏଭଳି ପୋଷ୍ଟ ପରେ ପୃଥ୍ବୀଙ୍କ ପ୍ରଶଂସକ ଚିନ୍ତା ପ୍ରକଟ କରିଛନ୍ତି। ସୋସିଆଲ ମିଡିଆରେ ଅନେକ ତାଙ୍କ ସମର୍ଥନରେ ବାହାରିଛନ୍ତି। ତାଙ୍କ ସହ ଅନ୍ୟାୟ କରାଯାଉଛି। ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିଲେ ହେଁ ଟିମ୍‌ଇଣ୍ଡିଆରେ ତାଙ୍କୁ ଅଣଦେଖା କରାଯାଉଛି ବୋଲି କୁହାଯାଉଛି।

Share